Hot Posts

ଦେବଗଡ଼ କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ୨୦୫ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ, କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ୪୧ କୋଟି ଘୋଷଣା

ଦେବଗଡ଼, ୪ / ୬ :  — ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ ବୃହତ ଗସ୍ତ କ୍ରମରେ ମଙ୍ଗଳବାର ଦେବଗଡ଼ ଜିଲ୍ଲାକୁ ଆସି ରାଜ୍ୟ ବିକାଶ ପଥରେ ଏହି ପଛ ପଡ଼ିଥିବା ଅଞ୍ଚଳକୁ ଆଗକୁ ଆଣିବା ପାଇଁ ଏକ ଶକ୍ତିଶାଳୀ ପଦକ୍ଷେପ ଗ୍ରହଣ କଲେ। ସେ ଏହି ଦିନ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି, ଜିଲ୍ଲାର ଉନ୍ନତି ପାଇଁ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଏହି ପ୍ରମୁଖ ଦିନରେ ଦେବଗଡ଼ର ଜନସାଧାରଣ ପାଇଁ ଏକ ନୂଆ ଆଶାର କିରଣ ହେବା ସହ, ମୁଖ୍ୟମନ୍ତ୍ରୀ ଏଠାରେ ୩୦୦ ଶଯ୍ୟା ବିଶିଷ୍ଟ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ଉତ୍ସର୍ଗ କଲେ, ଯାହା ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏକ ମାଇଲ୍‌ସ୍‌ଟୋନ୍‌ ବୋଲି ଅଭିମତ ମଧ୍ୟ ମିଳିଛି। ଉଦ୍‌ଘାଟିତ ପ୍ରକଳ୍ପମାନଙ୍କ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ସଂପର୍କିତ ଓ ୪ଟି ଶିକ୍ଷା ବିକାଶ ଭିତ୍ତିଭୂମି ଉନ୍ନତି ପ୍ରକଳ୍ପ ରହିଛି। ଏହା ଅପେକ୍ଷାକୃତ ଅନୁନ୍ନତ ଦେବଗଡ଼ ଜିଲ୍ଲାରେ ସରକାରୀ ସେବା ଉନ୍ନତ କରିବାର ଏକ ନୂଆ ଅଧ୍ୟାୟ ହିସାବରେ ଦେଖାଯାଉଛି।ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ଶ୍ରମିକଙ୍କୁ ଲକ୍ଷ କରି ୪୧ କୋଟି ୧୭ ଲକ୍ଷ ଟଙ୍କା ରାଶି ବ୍ୟୟ କରିବା ଘୋଷଣା କରିଛନ୍ତି। ଏଥିରେ ତୋଳାଳିଙ୍କ ପାଇଁ ଚପଲ (୧୬୦ ଟଙ୍କା), କେରି ସଂଗ୍ରହ କପଡ଼ା (୨୦୦ ଟଙ୍କା), ଟୋପି (୧୦୦ ଟଙ୍କା), ବନ୍ଧାଳିଙ୍କ ପାଇଁ ମଶାରି ଓ କମ୍ବଳ (୭୦୦ ଟଙ୍କା) ଜଣପିଛା ମୋତାବକ ପ୍ରଦାନ କରାଯିବ।
ପ୍ରଧାନପାଟ ଅଞ୍ଚଳରେ ଅନୁଷ୍ଠିତ ଏହି ବୃହତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି—“ଦେବଗଡ଼କୁ ବିକଶିତ ଜିଲ୍ଲାର ରୂପରେ ଗଢିବାକୁ ଆମେ ପ୍ରତିବଦ୍ଧ। ଏଠାରେ ବିକାଶ ପାଇଁ ସମସ୍ତ ସୁଯୋଗ ଓ ସମ୍ଭାବନା ଅଛି। ଏହାକୁ ବ୍ୟବହାର କରି ଆମେ ଏହି ଅଞ୍ଚଳକୁ ରାଜ୍ୟ ବିକାଶର ମୁଖ୍ୟ ସ୍ରୋତରେ ଯୋଡ଼ିବୁ। ଆଗାମୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢିବା ଆମର ଲକ୍ଷ୍ୟ।"
ସେ ଆହୁରି ଉଲ୍ଲେଖ କଲେ ଯେ, ସରକାର ଆସିବାର କେବଳ ଏକ ବର୍ଷ ହେବାକୁ ଯାଉଛି, ଏହି ସମୟ ମଧ୍ୟରେ ସରକାର ଗ୍ରାମରୁ ଗ୍ରାମକୁ ଓ ଜିଲ୍ଲା ରୁ ରାଜ୍ୟପର୍ଯ୍ୟନ୍ତ ଉନ୍ନତି ପାଇଁ କଢ଼ିଆସିଛି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବୀନ୍ଦ୍ର ସାହୁ ଓ ସିଡିଏମଓ ବିଶ୍ୱମୋହନ ମିଶ୍ର ଉପସ୍ଥିତ ଥିଲେ।