Hot Posts

6/recent/ticker-posts

ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପରଦା ଫାସ , ସ୍ବାମୀ ଓ ଶ୍ୱଶୁର ଗିରଫ

ଥୁଆମୂଳ ରାମପୁର, ୨ / ୬ : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମରେ ଗତ ୨୯ ମେ ତାରିଖରେ ଘଟିଥିବା ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ନେଇ ଏବେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି। ଏହି ଘଟଣାରେ ମହିଳାଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ଗିରଫ କରି ମାମଲା କୋର୍ଟକୁ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ କୈବଲ୍ୟ ସେଠ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ମୃତ ବିବାହିତା ମହିଳା ତମାଲ ନାଏକ (ପତି-ରଞ୍ଜନ ନାଏକ) ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଜଡ଼ାଆମ୍ବ ଗ୍ରାମର ନିବାସୀ କାଲି ଦାସ ନାଏକଙ୍କ ଝିଅ। ସେ ୪ ବର୍ଷ ପୂର୍ବରୁ ବୈଦିକ ରୀତିରେ କୋଷାବରା ଗ୍ରାମରେ ବିବାହ କରିଥିଲେ। ମୃତ୍ୟୁ ପରେ ଜଣେ ଚାଷୀଙ୍କ ଜମି ପାଖ ଏକ ପରିତ୍ୟକ୍ତ କୂଅରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।
ଘଟଣାସ୍ଥଳରେ ବିଜ୍ଞାନିକ ଟିମ ପହଞ୍ଚି ତଦନ୍ତ କରି ଏହାକୁ ହତ୍ୟା ଘଟଣା ବୋଲି ଅନୁମାନ କରିଥିଲେ। ପରେ ମୃତାଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ ଦାଖଲ ହେଉଥିବା ସହିତ ପୋଲିସ ମାମଲା ନଂ.୭୦/୨୫ ରେଜିଷ୍ଟର କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ପରେ ତାଙ୍କ ସ୍ବାମୀ ରଞ୍ଜନ ନାଏକ ଓ ଶ୍ୱଶୁର ଲଳିତ ନାଏକଙ୍କୁ ଅଟକ କରି ପଚାରାଉଚାରା କରାଯାଇଥିଲା। ପରେ ଦୁହେଁଙ୍କୁ ବିଭିନ୍ନ ବିଏନଏସ ଧାରା — ୱୁ/ଏସ ୮୦, ୧୦୩(୧), ୮୫, ୨୩୮, ୩(୫) ଅନୁଯାୟୀ — ଅଭିଯୋଗ ଗଠିତ କରି ଭବାନୀପାଟଣା କୋର୍ଟକୁ ଚାଲାଣ କରାଯାଇଥିଲା।
ସେଠାରେ ଜାମିନ ଅନୁରୋଧ ନାମଞ୍ଜୁର ହେବା ପରେ ଦୁହେଁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲା ଏବେ ଥାନା ଓ ଜିଲ୍ଲା ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହୋଇଥିବା ବେଳେ, ଅନ୍ୟାନ୍ୟ ପରିବାର ସଦସ୍ୟଙ୍କ ଭୂମିକା ବିଷୟରେ ତଦନ୍ତ ଜାରି ରହିଛି।