--ମାଆକୁ ଚିଠି--
--ମାଆକୁ ଚିଠି--
ପୂଜନୀୟା ମାଆ ମୋର ଜନ୍ମ ଦାତ୍ରୀ।
ଢାଳୁଛି ପ୍ରଣତି ଯୋଡ଼ି କରପତ୍ରୀ।।
ସଜଳ ନୟନେ ଭକ୍ତି ଶ୍ରଦ୍ଧା ହୃଦେ।
ନିତି ପ୍ରତ୍ୟୁଷରୁ ତୋ ଚରଣ ବନ୍ଦେ।।
ତୋ କୋମଳ କର ପରଶେ ଶରୀର।
ଶୁଦ୍ଧ ହୁଏ ଯଥା ସତେ ଗଙ୍ଗା ନୀର।।
ତୋ ଶ୍ରୀମୁଖ ବାଣୀ ବେଦ ମନ୍ତ୍ର ମଣି।
ସତ ଶିକ୍ଷା ଦିଏ ତରଣେ ତଟିନୀ।।
ସେନେହ ଶରଧା ହରି ନିଏ ବାଧା।
ଝରଇ ତୋ ବକ୍ଷୁ ସରଗର ସୁଧା।।
ତୋ କୋଳ ମାଆ ଗୋ ମୋ ଝୁଲଣା ଦୋଳି।
ଚିରା ପଣତରେ ଝାଡିଛୁ ଗୋ ଧୂଳି।।
ପଣତ ନୁହେଁ ସେ ଶିରୀକ୍ଷେତ୍ର ନେତ।
ଯାହାର ପରଶେ ଗାତ୍ର ଶୁଦ୍ଧ ପୂତ।।
ତୋ ଚରଣ ଧୂଳି ଶିରେ ହେଲେ ବୋଳି।
ଆଶିଷ ବରଷେ ଦୁଃଖ ଯାଏ ଟଳି।।
ତୋ ହାସ୍ୟ ବଦନ କରିଲେ ଦର୍ଶନ।
ମଣଇ ମାଆ ଗୋ କୋଟି ଗଙ୍ଗା ସ୍ନାନ।।
ଆଦ୍ୟେ ମାଆ ଡାକ ଶିଖାଇଛି ଯିଏ।
ଆଦ୍ୟ ଶିକ୍ଷା ଦାତ୍ରୀ ଜନନୀ ମୋ ସିଏ।।
କଳି ପାରୁ ତୁହିଁ ଅନ୍ତର ବେଦନା।
ଆନ କେହି ସରି ନାହିଁ ତୋ ତୁଳନା।।
ମାଆ ଗାଳି ଅଟେ କଲ୍ୟାଣର ଝର।
ସାଗର ପରାୟେ ଗଭୀର ଅନ୍ତର।।
ମୋ ବଦନ ଦେଖି ପାରୁ ଗୋ ପରଖି।
ଭୋକିଲା ଶୋଷିଲା ଅବା ଦୁଃଖୀ ସୁଖୀ।।
ମୋ ନୟନେ ଲୁହ ଦେଖି ତୋର କୋହ।
ବଢ଼ି ଯାଏ ମନେ ଜାଗଇ ସନ୍ଦେହ।।
କଲି କିବା ଦୋଷ ଦୁଃଖୀ ହେଲା ବତ୍ସ।
ପରଷି ଦେଉ ଗୋ ସେନେହ ପରଶ।।
ସହିଛୁ ମାଆ ଗୋ ଅଳି ଅରଦଳି।
ଯୋଗାଇ ଦେଇଛୁ ଦେଇ ଆତ୍ମବଳି।।
ସଞ୍ଜବେଳେ ଦାଣ୍ଡେ ସଞ୍ଜ ବତୀ ଜାଳି।
ମିଛରେ ସରଗ ଚାନ୍ଦ ଦେଉ ତୋଳି।।
ମୋ ଉଦର ଦେଖି ତୋ ଉଦରୁ କାଟି।
ପରଷି ଦେଉ ଗୋ ଭୋଜ୍ୟ ଦରବଟି।।
ଅସୁସ୍ଥ ହୋଇଲେ ଅନିଦ୍ରା ରାତିରେ।
ସେବା ଯତ୍ନ କରୁ ନାନା ଉପଚାରେ।।
ସୁସ୍ଥ ପରେ ଦେଖି ମୋ ମୁହଁରେ ହସ।
ମଣି ଥାଉ ତୁହିଁ ସରଗର ସୁଖ।।
ମିଛ ଅଭିନୟ ସନ୍ତାନର ହିତେ।
ଦେଖାଉ କେତେ ତୁ ଅକୁଣ୍ଠିତ ଚିତ୍ତେ।।
ବାପା ଋଷି ଗଲେ ତାଙ୍କ ସାଥେ କଳି।
କରୁ ଗୋ କହି କି କଥା ଭଳି ଭଳି।।
ସହନ ପଣେ ତୁ ଯେସନେ ଧରିତ୍ରୀ।
ଆକାଶ ପରାୟେ ହୃଦ ଜନ୍ମଦାତ୍ରୀ।।
ଏକାଧାରେ ଶିରୀ ଲକ୍ଷ୍ମୀ ଠାକୁରାଣୀ।
ସେନେହ ଶରଧା ଦାୟିନୀ ଜନନୀ।।
ଚାଲିଗଲୁ ମାଆ ତୁ ଅମର ଧାମେ।
ଆଉ କି ଭେଟିବି ମୁଁ ଏଇ ଜନମେ।।
ମାଆ କୋଳେ ମିଳେ ସରଗର ସୁଖ।
କହନ୍ତି ସୁଜନେ ବିଜ୍ଞାନୀ ପଣ୍ଡିତ।।
ଶୁଝି ପାରିବିନି ତୋ ଋଣ ପସରା।
ଚିର ଋଣୀ ହେଲି ଏ ଜୀବନ ସାରା।।
ଝୁରୁଛି ଗୋ ନିତି ତୋର ଗୁଣ କୀର୍ତ୍ତି।
ଆନ ଜନମରେ ହେବୁ ଜନ୍ମ ଦାତ୍ରୀ।।
ମାଆ ମାତୃଭୂମି ସ୍ଵର୍ଗୁଁ ଗରିୟସୀ।
ସେବା ବିନା ଊଣା ଜୀବନ କଳସୀ।।
ସେବା ପୂଜାଠାରୁ ନ ହୁଅ ବଞ୍ଚିତ।
ତାଙ୍କରି ସନ୍ତୁଷ୍ଟି କଲ୍ୟାଣ ନିଶ୍ଚିତ।।
ଦୟା ଗୁଣେ ମାଗୋ କ୍ଷମିବୁ ମୋ ତୃଟି।
ମଥା ନଇଁ ଲେଖା କରୁଛି ଗୋ ଇତି।।
ନରସିଂହ ମହାରଣା,
ଗଣେଶ ନଗର, ରେଙ୍ଗାଲି ,
ସମ୍ବଲପୁର।
୯୩୩୭୦୪୯୭୨୨.