Hot Posts

6/recent/ticker-posts

ଗାଁ ଦାଣ୍ଡରେ ବଣୁଆ ହାତୀ, ଗ୍ରାମବାସୀ ଭୟଭୀତ

ମୟୂରଭଞ୍ଜ, ୩ / ୬ : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତର ଶାସନ ଅଞ୍ଚଳର ପ୍ରତିମାଦେଇପୁର ଗାଁ ପୁନର୍ବାର ଏକ ବଣୁଆ ଦନ୍ତା ହାତୀ ଆତଙ୍କରେ ଚିମୁରି ଉଠିଛି। ସୋମବାର ସକାଳେ, ଏହି ଦନ୍ତା ଗାଁ ଦାଣ୍ଡରେ ବୁଲୁଥିବା ଦୃଶ୍ୟ ଦେଖି ଗ୍ରାମବାସୀ ଘରୁ ବାହାରିବାକୁ ମଧ୍ୟ ସାହସ କରିନାହାନ୍ତି।
ବନ ବିଭାଗ ଉତ୍ସର ଅନୁଯାୟୀ, ବେତନଟୀ ରେଞ୍ଜର ଜଙ୍ଗଲ ଅଞ୍ଚଳରେ ବିଚରଣ କରୁଥିବା ୧୦-୧୨ ଝାଡ଼ଖଣ୍ଡୀ ବଣୁଆ ହାତୀ ମଧ୍ୟରୁ ଏହି ଦନ୍ତା ହାତୀ ଦୀର୍ଘଦିନ ଧରି ଗୋଠଛଡା ଅବସ୍ଥାରେ ବୈଶିଙ୍ଗା ଉପକଣ୍ଠ ର କ୍ଷୀରପଦା ଜଙ୍ଗଲ ଆସପାସ ରହିଛି। ଏହି ଦନ୍ତା ଅନେକ ଥର ଗାଁ ଭିତରେ ପଶି ଉପଦ୍ରବ ସୃଷ୍ଟି କରିଥିବା ଓ ବୈଶିଙ୍ଗା-ମାଣତ୍ରି ରାସ୍ତା ଅବରୋଧ କରିଥିବା ଘଟଣା ବନ ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି।
ଗତ ରବିବାର ସନ୍ଧ୍ୟାରେ ଏହି ଦନ୍ତା ବଡାମ ଠାକୁରାଣୀ ନିକଟରେ ରାସ୍ତା ଅବରୋଧ କରି ବହୁ ସମୟ ରହିଥିଲା। ତା’ପରେ ଏହି ହାତୀ ସୋମବାର ସକାଳୁ ପ୍ରତିମାଦେଇପୁର ଗାଁ ଭିତରେ ପଶି, ଗାଁ ଦାଣ୍ଡରେ ବୁଲିବାରେ ଲାଗିଥିଲା। ଘର ସମ୍ମୁଖରେ ଏକ ବଣୁଆ ଦନ୍ତାକୁ ଦେଖି ଗ୍ରାମବାସୀ ଅତ୍ୟନ୍ତ ଭୟଭୀତ ହୋଇ ତାଟି କବାଟ ବନ୍ଦ କରି ଘର ଭିତରକୁ ଲୁଚିପଡ଼ିଥିଲେ।
ଘଟଣା ସ୍ଥଳରେ ବୈଶିଙ୍ଗା ବନରକ୍ଷୀ ଉତ୍ତମ କୁମାର ଦାସ ଉପସ୍ଥିତ ଥିବା ସହିତ ଦନ୍ତାର ଗତିବିଧି ଉପରେ ନିରନ୍ତର ନଜର ରଖିବାକୁ ବନ ବିଭାଗ ପ୍ରୟାସ ଜାରି ରଖିଛି।