Hot Posts

6/recent/ticker-posts

ବିଜାପୁର ଜଙ୍ଗଲରେ ବଡ଼ ଏନକାଉଣ୍ଟର, ମୋଷ୍ଟ ୱାଣ୍ଟେଡ ମାଓବାଦୀ ସୁଧାକର ନିହତ

ମାଲକାନଗିରି/ବିଜାପୁର, ୫ / ୬ : – ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନ ଅଞ୍ଚଳରେ ଗୁରୁବାର  ସକାଳେ ଏକ ଗୁରୁତ୍ୱପୂର୍ଣ୍ଣ ଏନକାଉଣ୍ଟର ଘଟିଛି। ଏହି ଆପରେସନରେ ମାଓବାଦୀ ସଂଗଠନ ସିପିଆଇ(ମାଓ)ର କେନ୍ଦ୍ରୀୟ କମିଟି ସଦସ୍ୟ ନିରସିଂହାଚଲମ ଓରଫ ଗୌତମ, ଓରଫ ସୁଧାକର, ଓରଫ ବାଲକୃଷ୍ଣ, ଓରଫ ରାମାରାଜୁ, ଓରଫ ଆର.ଆର, ଓରଫ ସୋମନ୍ନା ନିହତ ହୋଇଛନ୍ତି।
ସୁଧାକର ଉପରେ ଏକ କୋଟି ଟଙ୍କାର ପୁରସ୍କାର ଘୋଷିତ ଥିଲା। ତାଙ୍କର ମୃତ୍ୟୁ ମାଓବାଦୀ ସଂଗଠନ ପାଇଁ ଏକ ଗଭୀର ଧକ୍କା ବୋଲି ଅଭିଜ୍ଞ ମାନେ କହୁଛନ୍ତି। ଏହି ଅପରେସନ ବିଜାପୁର ଡିଆରଜି ଏବଂ ଏସଟିଏଫ ଯବାନମାନେ ମିଳିତଭାବେ କରିଥିଲେ। ସୂଚନା ଅନୁଯାୟୀ, ଜଙ୍ଗଲ ଅଞ୍ଚଳରେ ଚଲିଥିବା ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ପ୍ରତିଉତ୍ତରରେ ଯବାନମାନେ ବ୍ୟାପକ ଗୁଳିବିନିମୟ କରିଥିଲେ।
ଏହି ଗୁଳିବିନିମୟ ଦୀର୍ଘ ସମୟ ଚାଲିଥିଲା ବୋଲି ସୂଚନା ମିଳିଛି। ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ କୌଣସି ଅଧିକୃତ ସଂଖ୍ୟା ଘୋଷଣା ହୋଇନଥିଲେ ମଧ୍ୟ, ଅନେକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଯବାନମାନେ ଫେରିବା ପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।
ସୁଧାକର ବର୍ତ୍ତମାନ ୬୨ ବର୍ଷ ବୟସର ଥିଲେ। ସେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ପ୍ରଗାଦାଵରମ ଗ୍ରାମ ନିବାସୀ ଥିଲେ। ବିଜୟଵାଡାରେ ଆୟୁର୍ବେଦିକ ଶିକ୍ଷା ଗ୍ରହଣ କରିଥିବା ସୁଧାକର, ବର୍ତ୍ତମାନ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଭୂମିକାରେ ଥିଲେ।
ସେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ରରେ ମୋଷ୍ଟ ୱାଣ୍ଟେଡ ଥିଲେ। ଗତ ୨୧ ମଇରେ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ବାସବରାଜୁ ଏକ ଏନକାଉଣ୍ଟରରେ ନିହତ ହୋଇଥିଲେ। ସେହିଠାରୁ କେବଳ ୧୫ ଦିନ ପରେ ସୁଧାକରଙ୍କ ମୃତ୍ୟୁ ସଂଗଠନ ପାଇଁ ଦ୍ବିତୀୟ ବଡ଼ ଝଟକା।
ବିଜାପୁର ଜିଲ୍ଲାର ଏହି ଏନକାଉଣ୍ଟର ପରିପ୍ରେକ୍ଷିତରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଆଉ ଅଧିକ କଢ଼ିଆ ହୋଇଛି। ବେଶ କିଛି ସେନା ଓ ଅର୍ଧସାମରିକ ବାହିନୀଙ୍କୁ ଅଞ୍ଚଳରେ ନିୟୋଜିତ କରାଯାଇଛି ବୋଲି ସୂତ୍ର ଜଣାଇଛି।