ପୂର୍ବ ଶତ୍ରୁତା ନେଲା ରକ୍ତର ରୂପ: ଦିଗପହଣ୍ଡିରେ ଯୁବକ ଉପରେ ମରଣାନ୍ତକ ଆକ୍ରମଣ
ଦିଗପହଣ୍ଡି, ୮ / ୬ : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୋରଡ଼ା ପଞ୍ଚାୟତର ରାଜପୁର ଗ୍ରାମରେ ଗତକାଲି ଶୁକ୍ରବାର ସନ୍ଧ୍ୟା ବେଳେ ଘଟିଥିବା ଏକ ନିର୍ମମ ଆକ୍ରମଣରେ ସୁଶାନ୍ତ ବିଷୋୟୀ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଅନୁମାନ କରାଯାଉଛି ଯେ, ପୂର୍ବ ଶତ୍ରୁତାର ପରିଣାମ ସ୍ୱରୂପ ଏହି ହେବା ସମ୍ଭାବନା ରହିଛି।
ସୂତ୍ର ଅନୁସାରେ, ସୁଶାନ୍ତ ବିଷୋୟୀ ସନ୍ଧ୍ୟା ସମୟରେ ବାଇକ୍ ଚଲାଇ ଗାଁ ପୋଖରୀକୁ ଗାଧୋଇଵା ପାଇଁ ଯାଉଥିବା ବେଳେ ପଡ଼ୋଶୀ ଦୁଇଭାଇ—ବାହାନ ସ୍ବାଇଁ ଓ ତୋଫାନ ସ୍ବାଇଁ—ତାଙ୍କୁ ଗାଁ ସ୍କୁଲ ନିକଟରେ ଅଟକାଇ ଗାଳିଗୁଲଜ କରିଥିଲେ। ତାପରେ ଅନ୍ୟ ରାସ୍ତା ଦେଇ ଘରକୁ ଫେରୁଥିବା ସୁଶାନ୍ତଙ୍କୁ ଦୁଇଭାଇ ଅଟକାଇ ଲୁହାଛଡ଼ ଦ୍ୱାରା ନିର୍ମମ ଭାବେ ଆକ୍ରମଣ କରିଥିଲେ।
ଅତି ଗୁରୁତର ଅବସ୍ଥାରେ ଥିବା ସୁଶାନ୍ତ ଦୌଡ଼ି ଯାଇ ନିକଟସ୍ଥ ବାବୁଲା ବିଷୋୟୀଙ୍କ ଘରକୁ ପଶି ଆଶ୍ରୟ ନେଇଥିଲେ। ତାଙ୍କ ଚିତ୍କାରକୁ ଶୁଣି ଆଶପାଶ ଲୋକେ ଆସି ସେଠିଁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରିଥିଲେ।
ଏ ଘଟଣା ବାବଦରେ ଦିଗପହଣ୍ଡି ଥାନାରେ ଏତଲା ହେବା ପରେ, ଭାରପ୍ରାପ୍ତ ଆଇଆଇସି ଏବଂ ଡିଏସ୍ପି ପ୍ରଶାନ୍ତ ପାତ୍ର ନଂ.୧୯୯/୨୫ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ଏଥିରେ ଆରୋପ ଅଛି ଯେ, ଏହି ଦୁଇଭାଇ ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ସ୍ତ୍ରୀ ସୁଲତା ବିଷୋୟୀଙ୍କ ଉପରେ ଅସଦାଚରଣ କରିଥିଲେ। ତଦୁପରି, ତାଙ୍କ ଶିଶୁକନ୍ୟାକୁ ଅପହରଣ କରିବା ଧମକ ମଧ୍ୟ ଦେଇଥିବା ଏତଲା ରେ ଉଲ୍ଲେଖ ରହିଛି। ଏହି ଘଟଣା ଗ୍ରାମବାସୀ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗାଁରେ ଶାନ୍ତି ରକ୍ଷା ପାଇଁ ପୋଲିସ ପକ୍ଷରୁ ଅତିରିକ୍ତ ଚେତାବନୀ ଓ ତଦନ୍ତ କାର୍ଯ୍ୟ ଚାଲିଛି।