ଅବିଚାର ଓ ଅସ୍ୱଛତାର ଚିତ୍ର: କନ୍ଦାଡଙ୍ଗର ପଞ୍ଚାୟତ କାର୍ଯ୍ୟାଳୟରେ ଶୂନ୍ୟ ବ୍ୟବସ୍ଥା ଏବଂ ଲଜ୍ଜାଜନକ ପରିସ୍ଥିତି
ବରଗଡ଼, ୭ / ୬ : – "ସ୍ୱଛତା ହିଁ ସେବା", "ସ୍ୱଛ ଭାରତ ମିଶନ" ଭଳି ନାରା ଦେଶର ସରକାରୀ ନୀତି ରୂପେ ଚାଲିଥିଲେ ମଧ୍ୟ, ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର କନ୍ଦାଡଙ୍ଗର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଅବିଚାର ଓ ଅନ୍ୟାୟର ଏକ ଜୀବନ୍ତ ନମୁନା ହୋଇ ଦେଖା ଦେଉଛି। ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମୁହଁ ଢାକି ଝାଡ଼ା ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି ପଞ୍ଚାୟତ କୁ ଆସୁଥିବା ଜନସାଧାରଣ । କାର୍ଯ୍ୟାଳୟ ଯାଉଥିବା ରାସ୍ତା, ବୈଠକଘର ଏବଂ ସାଧାରଣ ପ୍ରବେଶଦ୍ୱାର ଉପରେ ମଧ୍ୟ ଅସ୍ୱଛତା ଓ ଅନିୟମିତତା ଦୃଶ୍ୟମାନ। ତଥାପି, ପ୍ରଶାସନ ନିଜ ଦାୟିତ୍ୱ ଅନୁସାରେ କାର୍ଯ୍ୟ କରିବାକୁ ଅସମର୍ଥ ପରି ଦିଶୁଛି। ପଞ୍ଚାୟତ କାର୍ଯ୍ୟାଳୟ ଯେଉଁଠି ସାଧାରଣ ଜନତା ଚାଉଳ ବଣ୍ଟନ, ଲାଭକାରୀ ଯୋଜନା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯୋଗାଯୋଗ କରିଥାନ୍ତି – ସେଠାରେ ଜନସାଧାରଣ ଙ୍କ ପାଇଁ ପରିସ୍ରା କରିବା ପାଇଁ ବ୍ୟବସ୍ଥା ମଧ୍ୟ ରହିଥାଏ, ଏଠି ମଧ୍ୟ ରହିଛି କିନ୍ତୁ ଅବସ୍ଥା ଏପରି ଯେ, କାର୍ଯ୍ୟାଳୟରେ ଥିବା ଶୌଚାଳୟ କବାଟ ବିହିନ ଅବସ୍ଥାରେ ଅପବ୍ୟବସ୍ଥିତ ଭାବେ ରହିଛି, କବାଟ ନ ଥିବା ଯୋଗୁଁ କେହି ଜନସାଧାରଣ ପରିସ୍ରା କରିବା ପାଇଁ ଯାଉ ନାହାନ୍ତି । ଏହି ଅବସ୍ଥା ନା କେବଳ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଜୋଖିମକର, ବରଂ ସରକାରୀ ଦାୟିତ୍ୱ ମଧ୍ୟ ଅପମାନିତ ହେଉଛି। ଏକ ସାଧାରଣ ପ୍ରଶ୍ନ ଏଠାରେ ଉଠିଛି – ପଞ୍ଚାୟତ ଉନ୍ନତି ଓ ସ୍ୱଛତା ଲକ୍ଷ୍ୟରେ ଖର୍ଚ୍ଚ ହେଉଥିବା ଲକ୍ଷ ଲକ୍ଷ ଟଙ୍କା କାହିଁକି ଏହି ପଞ୍ଚାୟତ ରେ ପ୍ରଭାବିତ ହେଉନି? କାହିଁକି ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ଅନ୍ଧ ଓ ବେପରୁଆ ରହିଛି ? ଏକ ସ୍ୱଚ୍ଛ ଓ ସୁସଂଗଠିତ ପଞ୍ଚାୟତ ବ୍ୟବସ୍ଥା ଏକ ଲୋକତନ୍ତ୍ରର ମୌଳିକ ଆଧାର, ସେଠି ଏପରି ଅବସ୍ଥା ଆଉ କେତେ ଦିନ ଚାଲିବ, ସ୍ୱଛତା ଦିଗରେ ଦେଶ ଆଗକୁ ବଢ଼ୁଥିବା ବେଳେ, କନ୍ଦାଡଙ୍ଗର ପଞ୍ଚାୟତ କାର୍ଯ୍ୟାଳୟ ର ଏହି ଦୃଶ୍ୟ ଜଣେ ବିଚାରଶୀଳ ନାଗରିକଙ୍କୁ ଦୁଃଖିତ କରିଥାଏ। ଅବିଚାର ଓ ଅସ୍ୱଛତା ପ୍ରତି ଉଦାସୀନତା ନ କେବଳ ସରକାରୀ ଦାୟିତ୍ୱର ଅବହେଳା, ବରଂ ଏକ ସାମୂହିକ ବିଫଳତାର ଚିହ୍ନ। ଏପରି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବା ଅତ୍ୟାବଶ୍ୟକ।