Hot Posts

6/recent/ticker-posts

ଚୋର କରିଲା ଖେଳ, ହୋଟେଲ ବ୍ୟବସାୟୀଙ୍କ ଘରରୁ ୧୦ ଲକ୍ଷ ଓ ସୁନା-ରୁପା ଲୁଟ

ରାୟଗଡ଼ା, ୩୦ / ୫ : ରାୟଗଡ଼ା ସହରର ନିୟୁ କଲୋନୀ ଅଞ୍ଚଳ ଗୁରୁବାର ବିଳମ୍ବିତ ରାତିରେ ଏକ ଜନ୍ମାଞ୍ଚ ଚୋରି ଘଟଣା ଦେଖିବାକୁ ମିଳିଛି। ହୋଟେଲ କୈଳାଶର ମାଲିକ ଓ ପ୍ରସିଦ୍ଧ ବ୍ୟବସାୟୀ ସୁବ୍ରତ ପତିଙ୍କ ଘରରୁ ଅଜଣା ଚୋରଦଳ ଦୁହସାହସିକ ଭାବରେ ନଗଦ ଅନୁମାନିତ ୧୦ ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଓ ଏକ କିଲୋରୁ ଅଧିକ ରୁପା ଉପକରଣ ଚୋରି କରି ନେଇଯାଇଛନ୍ତି।ଘଟଣା ସମୟରେ ଘର ମାଲିକ ସୁବ୍ରତ ଓ ତାଙ୍କ ମା’ ନିଶାମଣୀ ଆଗ ଘରରେ ଉପସ୍ଥିତ ଥିବା ବେଳେ ଚୋରମାନେ ପଛ ପଟ ଘରର ଗ୍ରିଲ ହୁକ କାଟି ତାଲା ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରିଥିଲେ। ପଛ ଘରରେ ଥିବା ଦୁଇଟି ଆଲମିରାକୁ ଭାଙ୍ଗି ତାଲାଚାବି ଉପାଡ଼ି ସାମଗ୍ରୀ ଲୁଟି ନେଇଯାଇଛନ୍ତି।ଶୁକ୍ରବାର ସକାଳ ବେଳେ ସୁବ୍ରତ ପତି ଓ ତାଙ୍କ ମା’ ପଛ ଘରକୁ ଯିବାପରେ ଜଣାପଡ଼ିଥିଲା ଯେ ଘରର ଦ୍ୱାର ଖୋଲା ଓ ଅନ୍ତର୍ଗତ ବସ୍ତୁ ବିକୃତ ଅବସ୍ଥାରେ ଅଛି। ତାଙ୍କ କହିବା ଅନୁସାରେ ଘରରେ ନିର୍ମାଣ କାମ ଚାଲିଥିବାରୁ ନଗଦ ରାଶି ଓ ମୂଲ୍ୟବାନ ସାମଗ୍ରୀ ଘରେ ରଖାଯାଇଥିଲା। ଘଟଣା ସୂଚନା ପାଇ ରାୟଗଡ଼ା ଟାଉନ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସଡିପିଓ ଗୌରହରି ସାହୁ, ଆଇଆଇସି କେ.କେ.ବି.କେ. କହଁର ସହ ଏକ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାଡ୍ ମଧ୍ୟ ଘଟଣାସ୍ଥଳକୁ ଯୋଗଦେଇ ଚୋର ଚିହ୍ନଟ ଦିଗରେ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ପୋଲିସ ପ୍ରାଥମିକ ତଦନ୍ତରେ ଘଟଣା ପଛ ପଟ ମାର୍ଗରୁ ଘଟିଥିବା ଅନୁମାନ କରାଯାଇଛି। ଘରରେ ଲାଗିଥିବା ସିସିଟିଭି ଫୁଟେଜରେ ଦୁର୍ବୁତ୍ତମାନଙ୍କ କିଛି ଚଳଚ୍ଚିତ୍ର କଏଦ ହୋଇଥିବା ଜଣାଯାଇଛି, ଯାହା ତଦନ୍ତକୁ ଦ୍ରୁତ କରିବାରେ ସାହାଯ୍ୟ କରିପାରିବ। ବର୍ତ୍ତମାନ ପର୍ଯ୍ୟନ୍ତ କେହି ଗିରଫ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି।