Hot Posts

6/recent/ticker-posts

ସପ୍ତାହ ବ୍ୟବଧାନରେ ପୁଣି ହାତୀ ଆକ୍ରମଣ,ବୃଦ୍ଧ ମୃତ ଜଙ୍ଗଲ ମଧ୍ୟକୁ ଗାଇ,ଗୋରୁ,ଛେଳି ଚରେଇବାକୁ ଯାଇ ଦନ୍ତା ହାତୀର ଆକ୍ରମଣ I

କଳାହାଣ୍ଡି, ୦୫/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତ୍ରିଲୋଚନ ପୁର ପଞ୍ଚାୟତ ଅଧିନସ୍ଥ କାଣ୍ଡଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଆଜି ମଧ୍ୟାହ୍ନରେ ଘଟି ଯାଇଛି I ସପ୍ତାହ ବ୍ୟବଧାନରେ ପୁଣି ଲାଞ୍ଜିଗଡ ଅଞ୍ଚଳରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧୀନ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗ୍ରାମ ନିକଟରେ ସୋମବାର ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ହେଲେ କାଣ୍ଡଗୁଡା ଗ୍ରାମର ବଲ ମାଝୀ ୫୫ ବର୍ଷୀୟ ବୋଲି ଜଣାପଡିଛି । ସୂଚନା ଅନୁସାରେ,ବଲ ମାଝୀ ଓ ତାଙ୍କ ସ୍ତ୍ରୀ ଟିଙ୍ଗୁ ମାଝୀ ସୋମବାର ମଧ୍ୟାହ୍ନରେ କାମ୍ବେଲ ନାପା ଡଙ୍ଗର ଅଞ୍ଚଳରେ ଗାଇ, ଗୋରୁ, ଛେଳି ଚରେଇବାକୁ ଉଭୟେ ଯାଇଥିଲେ ସେହି ଅଞ୍ଚଳ ନିକଟରେ ପହଞ୍ଚିବା ସମୟରେ ହଠାତ୍‌ ଏକ ଦନ୍ତା ହାତୀ ସେମାନଙ୍କ ସାମ୍ନାକୁ ଆସିଥିବା ଜଣାପଡ଼ିଥିଲା । ହାତୀକୁ ଦେଖି ଉଭୟ ସ୍ୱାମୀ-ସ୍ତ୍ରୀ ପ୍ରାଣ ବିକଳରେ ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଦୌଡ଼ିବା ସମୟରେ ବଲ ମାଝୀ ଙ୍କୁ ହାତୀ ଆକ୍ରମଣ କରିଥିଲା ଫଳରେ ବଲ ମାଝୀଙ୍କୁ ହାତୀ ମାଡି ଚକୁଡି ଖଣ୍ଡ ବିଖଣ୍ଡିତ କରିଦେଇଥିଲା I ଶରୀରର ଅଧିକାଂଶ ଅଂଶ ସ୍ପଷ୍ଟ ଭାବେ ଚିହ୍ନଟ କରିବା କଷ୍ଟକର ହୋଇଥିବା ବେଳେ ଗୋଟିଏ ହାତ ଓ ଗୋଡ଼ ହିଁ ସ୍ପଷ୍ଟ ଭାବେ ଜଣାପଡ଼ିଛି । ଘଟଣାସ୍ଥଳର ଏହି ଦୃଶ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଆତଙ୍କ ସୃଷ୍ଟି କରିଛି । ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ଟିଙ୍ଗୁ ମାଝୀ ଭୟଭୀତ ଅବସ୍ଥାରେ ସେଠାରୁ ଦୂରକୁ ଚାଲିଯାଇ ନିଜକୁ ରକ୍ଷା କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ବିଜେପୁର ଥାନାଧିକାରୀ ତୁଳସୀ ରାମ ଶବର ଓ ଲାଞ୍ଜିଗଡ ବନ ବିଭାଗର ଫରେଷ୍ଟର, ଧରଣୀଧର ପଣ୍ଡା, ମୂଷାନାଲ ଫରେଷ୍ଟର ଚିନ୍ତାମଣି ମାଝୀ ଘଟଣାସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି । ମୃତଦେହକୁ ଉଦ୍ଧାର କରାଯାଇ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ବିଜେପୁର ଥାନା ଆଇ.ଆଇ.ସି ଶ୍ରୀ ଶବର ଉକ୍ତ ଶବକୁ ଜବତ କରି ୟୁ.ଡି କେଶ ନଂ ୦୮/୨୦୨୬ ରୁଜୁ କରି ବ୍ୟବଚ୍ଛେଦ କରି ଛନ୍ତି I କିଛି ଦିନ ହେବ ଲାଞ୍ଜିଗଡ ଅଞ୍ଚଳରେ ଗତ କିଛି ଦିନ ଧରି ହାତୀ ଚଳପ୍ରଚଳ ବଢ଼ିଥିବାରୁ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ବିଶେଷକରି ଜଙ୍ଗଲ ମଧ୍ୟକୁ ଯାଇ ଗାଇ,ଗୋରୁ ଓ ଛେଳି ଚରେଇବାକୁ ଯିବା ପାଇଁ ଲୋକେ ଡରିଲେଣି ଏବଂ ପୋଡୁ ଚାଷ ଓ ଚାଷଜମି ନିକଟକୁ ହାତୀ ପହଞ୍ଚୁଥିବାରୁ ଚାଷୀମାନେ ଫସଲ ଜଗିବାକୁ ଯାଇ ଅସୁରକ୍ଷିତ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ସପ୍ତାହକ ମଧ୍ୟରେ ଲାଞ୍ଜିଗଡ ଅଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନହାନି ଘଟିବା ପରେ ହାତୀ-ମଣିଷ ସଂଘର୍ଷକୁ ନେଇ ଚିନ୍ତା ବଢ଼ିଛି । ହାତୀ ଚଳପ୍ରଚଳ ଅଞ୍ଚଳରେ ଲୋକଙ୍କୁ ସତର୍କ କରିବା ସହ ହାତୀଙ୍କ ଗତିବିଧି ଉପରେ ଅଧିକ ନଜର ରଖିବାକୁ ସ୍ଥାନୀୟ ଲୋକେ ବନ ବିଭାଗ ନିକଟରେ ଦାବି କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି । ଉକ୍ତ ଶବର ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ବିଜେପୁର ପୋଲିସ ଉପସ୍ଥିତରେ ହସ୍ତାନ୍ତର କରାଯାଇଛି I



କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ