ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୟୁଥ୍ ପାର୍ଲିଆମେଣ୍ଟ ସଫଳତାର ସହ ସମ୍ପନ୍ନ: ଶ୍ରେଷ୍ଠ ୧୦ ପ୍ରତିଯୋଗୀ ପୁରସ୍କୃତ
କଟକ, ୦୬/୧୦ ( କାହୁଁ ଚରଣ ବାରିକ ) : ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଯୁବ ପିଢ଼ିଙ୍କ ନେତୃତ୍ୱ ଓ ବିଚାରଧାରାକୁ ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ଆୟୋଜିତ "ରେଭେନ୍ସା ୟୁନିଭର୍ସିଟୀ ୟୁଥ୍ ପାର୍ଲିଆମେଣ୍ଟ" କାର୍ଯ୍ୟକ୍ରମ ସଫଳତାର ସହ ଉଦଯାପିତ ହୋଇଯାଇଥିବା ବେଳେ ଏଥିରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନେ ନିଜର ବାକ୍ପଟୁତା, ସଂସଦୀୟ ନୀତି, ତାତ୍କାଳିକ ସମସ୍ୟା ସମାଧାନ ଓ ବଜେଟ୍ ନିର୍ଦ୍ଧାରଣ ଦକ୍ଷତାର ପ୍ରଦର୍ଶନ କରିଥିଲେ। ଏହି ସମାରୋହରେ ପ୍ରଫେସର ବିକ୍ରମ କେଶରୀ ମିଶ୍ର, ଡଃ. ଅଭିଷେକ ଶର୍ମା ଏବଂ ପ୍ରଫେସର କିଶୋର କୁମାର ଦାସ ଅତିଥି ଭାବେ ଯୋଗଦେଇ ଯୁବସମାଜର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସମ୍ବିଧାନିକ ଦାୟିତ୍ୱବୋଧ ଉପରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ. ନିଶିକାନ୍ତ ଦ୍ୱିବେଦୀ, ଡଃ. ସୌମେନ ହାଜରା, ଶ୍ରୀ ବିଶାଳଦୀପ ଜାନା ଏବଂ ଶ୍ରୀ ସ୍ୱାଭିମାନ ସାମନ୍ତରାୟ ବିଚାରକ ଭାବେ ଯୋଗଦେଇଥିଲେ। ତିନୋଟି ଜଟିଳ ପର୍ଯ୍ୟାୟ ଅତିକ୍ରମ କରିବା ପରେ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କୁ ନଗଦ ପୁରସ୍କାର ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା, ଯେଉଁଥିରେ ପ୍ରଥମ ସ୍ଥାନ ପାଇଁ ₹୬,୦୦୦ (ଆଲିଶା ଜାହିଦା), ଦ୍ୱିତୀୟ ସ୍ଥାନ ପାଇଁ ₹୪,୦୦୦ (ଯୋଗଜନ୍ମ ଦାଶ), ତୃତୀୟ ସ୍ଥାନ ପାଇଁ ₹୩,୦୦୦ (ସାନଭି ଅଗ୍ରୱାଲ) ଏବଂ ୪ର୍ଥ ରୁ ୧୦ମ ସ୍ଥାନ ହାସଲ କରିଥିବା ୭ ଜଣ ପ୍ରତିଯୋଗୀଙ୍କୁ ପ୍ରତ୍ୟେକଙ୍କୁ ₹୧,୦୦୦ ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଆୟୋଜକ କମିଟି ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଉଦଯାପନ କରାଯାଇଥିଲା।