Hot Posts

6/recent/ticker-posts

ସୋଲାର ପମ୍ପ ଅଚଳ, ପିଇବା ପାଣି ଚିନ୍ତା, ଗୋଟିଏ ନଳକୂପ ଭରସାରେ ବେହେରାଗୁଡା ବାସୀ

ଧର୍ମଗଡ଼, ୨୩/୦୯ ( ରିତେଶ କୁମାର ମୁଣ୍ଡ ) : ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱଚ୍ଛ ଓ ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜଳଯୋଗାଣ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଅନେକ ସ୍ଥାନରେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହି ପ୍ରକଳ୍ପଗୁଡ଼ିକ ଅଚଳ ହୋଇପଡ଼ିଥିବା ଅଭିଯୋଗ ହେଉଛି। ଏଭଳି ଏକ ସମସ୍ୟା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଳୀ ପଞ୍ଚାୟତ ଅନ୍ତର୍ଗତ ବେହେରାଗୁଡା ଗ୍ରାମରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ପ୍ରାୟ ଏକ ବର୍ଷ ହେବ ଗ୍ରାମରେ ଥିବା ସୋଲାର ପମ୍ପ ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମର ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ପରିବାର ପାନୀୟଜଳ ପାଇଁ ଏବେ ମାତ୍ର ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଗ୍ରାମର ସମସ୍ତ ପରିବାର ଏହି ଗୋଟିଏ ନଳକୂପ ଉପରେ ନିର୍ଭର କରୁଥିବାରୁ ପାଣି ନେବା ପାଇଁ ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହ ଅନେକ ସମୟରେ ଦୂରବାଟ ଅତିକ୍ରମ କରିବାକୁ ପଡ଼ୁଛି। ବିଶେଷକରି ମହିଳା, ଶିଶୁ ଓ ବୟସ୍କମାନେ ପାଣି ସଂଗ୍ରହ କରିବାରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି। ସୋଲାର ପମ୍ପ ଅଚଳ ହେବା ପରେ ଏହାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ପାନୀୟଜଳ ସମସ୍ୟା ଲାଗି ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ତେଣୁ ତୁରନ୍ତ ଅଚଳ ସୋଲାର ପମ୍ପର ମରାମତି କରି ଜଳଯୋଗାଣ ବ୍ୟବସ୍ଥା ସ୍ୱାଭାବିକ କରିବା ସହ ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ବେହେରାଗୁଡା ଗ୍ରାମବାସୀ ଦାବି କରିଛନ୍ତି।