Hot Posts

6/recent/ticker-posts

ରଶ୍ମିରଞ୍ଜନଙ୍କ ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ଦାବି; ସୁଧାର ନହେଲେ ଆନ୍ଦୋଳନ ଚେତାବନୀ

କଳାହାଣ୍ଡି, ୧୭/୦୯ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବ୍ୟାପକ ସୁଧାର ଦାବି କରି ବିଜୁ ଯୁବ ଜନତା ଦଳ ପକ୍ଷରୁ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଅଭିଯୋଗପତ୍ରରେ ଗତ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତ୍ରରେ ଆଇସିୟୁରେ ଭର୍ତ୍ତି ହୋଇଥିବା ରଶ୍ମିରଞ୍ଜନ ଦାସ ମିଶ୍ରଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ଉଠାଯାଇଛି। ତାଙ୍କ ମୃତ୍ୟୁ ପରେ ମଧ୍ୟ ଡାକ୍ତର ପ୍ରାୟ ୨ ଘଣ୍ଟା ବିଳମ୍ବରେ ଆଇସିୟୁକୁ ଆସି ମୃତ ଘୋଷଣା କରିଥିବା ଅଭିଯୋଗ ଉପରେ ନିରପେକ୍ଷ ତଦନ୍ତ କରିବାକୁ ଦାବି କରାଯାଇଛି। ସାଧାରଣ ଲୋକଙ୍କୁ ଗୁଣାତ୍ମକ ଓ ସମୟୋପଯୋଗୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଯୁବ ବିଜେଡି ପକ୍ଷରୁ ଅନୁରୋଧ କରାଯାଇଛି। ଆଗାମୀ ଦିନରେ ସ୍ୱାସ୍ଥ୍ୟସେବାରେ ବ୍ୟାପକ ସୁଧାର ନହେଲେ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହିତ, ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ରହିଥିବା ସମନ୍ୱୟର ଅଭାବ ଓ ପ୍ରଶାସନିକ ତାରତମ୍ୟ ଦୂର କରିବାକୁ ଦାବି ହୋଇଛି। ଉଭୟ ସଂସ୍ଥା ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ସମନ୍ୱୟ ସ୍ଥାପନ ହେଲେ ରୋଗୀମାନଙ୍କୁ ଅଧିକ ସୁବ୍ୟବସ୍ଥିତ, ତ୍ୱରିତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିପାରିବ ବୋଲି କୁହାଯାଇଛି। ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କ ଚିକିତ୍ସା, ରେଫରାଲ୍‌ ଓ ଆବଶ୍ୟକ ଚିକିତ୍ସାଗତ ସହାୟତା ପ୍ରଦାନ ପାଇଁ ଉଭୟ ସଂସ୍ଥା ମଧ୍ୟରେ ସ୍ପଷ୍ଟ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ଦ୍ରୁତ ଯୋଗାଯୋଗ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି। ସ୍ୱାସ୍ଥ୍ୟସେବା ଲୋକଙ୍କର ମୌଳିକ ଅଧିକାର ହୋଇଥିବାରୁ ଏଥିରେ ଅବହେଳା ହେଲେ ଯୁବ ବିଜେଡି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ଜିଲ୍ଲା ଛାତ୍ର ସଭାପତି ଅଜିତ ସାହୁ, ଯୁବ ନେତା ପିତବାସ ବେହେରା, ନବୀନ ନାୟକ ଓ ଭୋଳାନାଥ ନାଗ ପ୍ରମୁଖ ଉପସ୍ଥିତ ଥିଲେ।