ନବରଙ୍ଗପୁର ଜିଲ୍ଲା ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର
ନବରଙ୍ଗପୁର, ୨୪/୦୯ ( ଶେଖର ଖୁରା ) : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ ସୂଚନା ତଥା ରେଡ ଆଲର୍ଟ ଜାରି କରିବା ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଜିଲ୍ଲା, ବ୍ଲକ୍ ଓ ସହରାଞ୍ଚଳ ସ୍ତରରେ ୨୪x୭ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ବିପଦପ୍ରବଣ ସ୍ଥାନ ଉପରେ ନିରନ୍ତର ନଜର ରଖାଯାଉଥିବା ବେଳେ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କୁ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନନ୍ଦାହାଣ୍ଡି ବିଡିଓ ଦହଣା ସେତୁ ପରିଦର୍ଶନ କରି ଜଳସ୍ତର ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନ ସେତୁ ଉପରେ ପାଣି ପ୍ରବାହିତ ହେଉନଥିବା ବେଳେ ପରିସ୍ଥିତି ଉପରେ ନଜର ରଖିଛି ପ୍ରଶାସନ। ସେହିଭଳି ତେନ୍ତୁଳିଖୁଣ୍ଟି – ନବରଙ୍ଗପୁର ରାସ୍ତାରେ ପଡ଼ିଥିବା ଗଛକୁ ଅଗ୍ନିଶମ ଦଳ ହଟାଇ ଯୋଗାଯୋଗ ସ୍ୱାଭାବିକ କରିଛି। କୁକୁଡ଼ାବାଇ ନୂଆପୁଜାରୀଗୁଡ଼ା ବିଦ୍ୟାଳୟ ନିକଟରୁ ବିପଦଜନକ ଗଛ ମଧ୍ୟ ହଟାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମଲିଗୁମା ନିର୍ମାଣାଧୀନ ସେତୁ ନିକଟରେ ପୋଲିସ ମୁତୟନ କରାଯାଇଛି। ଏଥିସହ ବିପଦପ୍ରବଣ ଅଞ୍ଚଳରେ ମାଇକ୍ ଯୋଗେ ଜନସଚେତନତା, ଡ୍ୟାମ୍/ଜଳଦ୍ୱାର ଖୋଲାଯିବା ସମ୍ପର୍କରେ ସତର୍କ ସୂଚନା, PDS ବଣ୍ଟନ ନିରବଚ୍ଛିନ୍ନ ରଖିବା ଓ ସହରାଞ୍ଚଳର ଡ୍ରେନ୍ ଏବଂ ଜଳ ନିଷ୍କାସନ ପଥ ସଫେଇ ଭଳି ପଦକ୍ଷେପ ନିଆଯାଇଛି। ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଗ୍ରାମ, ବିଦ୍ୟାଳୟ ଓ ବିପଦପ୍ରବଣ ସ୍ଥାନ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି। ବର୍ଷା ସମୟରେ ନଦୀ, ନାଳ ଓ ଜଳମଗ୍ନ ଅଞ୍ଚଳକୁ ନଯିବା, ଡଙ୍ଗା ବ୍ୟବହାର ନକରିବା, ନିର୍ମାଣାଧୀନ ସେତୁ ଓ ବିପଦପ୍ରବଣ ସ୍ଥାନଠାରୁ ଦୂରେଇ ରହିବା ଏବଂ ଘଡ଼ଘଡ଼ି ସମୟରେ ଗଛତଳେ ଆଶ୍ରୟ ନନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।