Hot Posts

6/recent/ticker-posts

ଖଇରଭାଡ଼ିଠାରୁ ଧରଣୀମାଲକୁ ସଂଯୋଗ କରୁଥିବା ରାସ୍ତା ସାଜିଛି ମରଣଜନ୍ତା

ନୂଆପଡ଼ା, ୨୪/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ବାବେବିର ପଞ୍ଚାୟତ ଅନ୍ତର୍ଗତ ଖଇରଭାଡ଼ିଠାରୁ ଧରଣୀମାଲକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଜନ୍ତା ପାଲଟିଛି। ଦୀର୍ଘଦିନ ଧରି ରାସ୍ତାର ଉନ୍ନତୀକରଣ ହୋଇନଥିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଉପରେ ଆଖପାଖ ଅଞ୍ଚଳର ଅନେକ ଲୋକଙ୍କ ଦୈନନ୍ଦିନ ଯାତାୟାତ ନିର୍ଭରଶୀଳ। ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜକୁ ଯାତାୟାତ କରୁଥିବା ବେଳେ ଚାଷୀ, ଶ୍ରମିକ ଓ ସାଧାରଣ ଲୋକେ ବିଭିନ୍ନ କାମରେ ଏହି ରାସ୍ତା ବ୍ୟବହାର କରୁଛନ୍ତି। ରାସ୍ତାର ଦୁରବସ୍ଥା ଯୋଗୁଁ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି। ବିଶେଷକରି ବର୍ଷା ଦିନରେ ରାସ୍ତାର ସ୍ଥିତି ଆହୁରି ଖରାପ ହୋଇପଡ଼ୁଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଉଛି। ଜରୁରୀକାଳୀନ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟରେ ମଧ୍ୟ ଲୋକଙ୍କୁ ଯାତାୟାତ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ବୋଲି ଅଞ୍ଚଳବାସୀଙ୍କ ଅଭିଯୋଗ। ରାସ୍ତାର ଉନ୍ନତୀକରଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି ଓ ଅଭିଯୋଗ କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହେଉଛି। ସରକାର ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଏହି ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି କେବେ ପଡ଼ିବ, ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ତେଣୁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଏହାର ପ୍ରଶସ୍ତୀକରଣ ସହ ଶୀଘ୍ର ଉନ୍ନତୀକରଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଏହି ରାସ୍ତାର ଉନ୍ନତୀକରଣ ହେଲେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ ହେବା ସହ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଗମ ହୋଇପାରିବ। ଏବେ ଖବର ପ୍ରସାରଣ ପରେ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଏହି ରାସ୍ତା ପ୍ରତି କେବେ ଦୃଷ୍ଟି ଦେଉଛନ୍ତି ଏବଂ ଅଞ୍ଚଳବାସୀଙ୍କ ଦାବି କେବେ ପୂରଣ ହେଉଛି, ତାହାକୁ ଅପେକ୍ଷା କରିଛନ୍ତି ଜନସାଧାରଣ