Hot Posts

6/recent/ticker-posts

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲା ଓ ଉପଖଣ୍ଡ ପ୍ରଶାସନର ଅଧିକାରୀ

ଭଞ୍ଜନଗର, ୨୪/୦୯ ( ଜେ. କେ ପଟ୍ଟନାୟକ ) : ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ କଳିଙ୍ଗା ଘାଟି ରାସ୍ତାରେ ସୃଷ୍ଟି ହୋଇଥିବା ସ୍ଥିତିର ସମୀକ୍ଷା ଏବଂ ରାସ୍ତାର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଙ୍କ ସହ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଏବଂ ଅନ୍ୟାନ୍ୟ ଅଧିକାରୀମାନେ କଳିଙ୍ଗା ଘାଟିର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଅତିରିକ୍ତ ଉପଜିଲ୍ଲାପାଳ, ଭଞ୍ଜନଗର ପ୍ରଧାନ ଟୁଲିଆମା, ଭଞ୍ଜନଗର ବିଡିଓ, ଜି.ଉଦୟଗିରି ଓ ଭଞ୍ଜନଗର ତହସିଲଦାର, ଫୁଲବାଣୀ ଜାତୀୟ ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ, ଭଞ୍ଜନଗର ଏସ୍‌ଡିପିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଅଧିକାରୀମାନେ ଜି.ଉଦୟଗିରି ଓ ଭଞ୍ଜନଗର ତହସିଲ ଅଧୀନରେ ଥିବା କଳିଙ୍ଗା ଘାଟିର ବିଭିନ୍ନ ଭୂସ୍ଖଳନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ରାସ୍ତାରେ ମାଟି ଓ ପଥର ଖସିବା ଯୋଗୁଁ ଯାତାୟାତ ଉପରେ ପଡ଼ୁଥିବା ପ୍ରଭାବ, ରାସ୍ତାର ସୁରକ୍ଷା ଏବଂ ଭୂସ୍ଖଳନ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରିଥିଲେ। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ସତର୍କ ନଜର ରଖିବା, ଆବଶ୍ୟକ ସ୍ଥଳେ ତୁରନ୍ତ ଯାତାୟାତ ନିୟନ୍ତ୍ରଣ କରିବା ଏବଂ ରାସ୍ତାରୁ ମାଟି ଓ ପଥର ହଟାଇବା ପାଇଁ ସମ୍ପୃକ୍ତ ବିଭାଗକୁ ସଜାଗ ରହିବାକୁ କୁହା ଯାଇଥିଲା। ପରିସ୍ଥିତିର ନିରନ୍ତର ନିରୀକ୍ଷଣ ସହ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।