ଥୁଆମୂଳ ରାମପୁରରେ କାର୍ଯ୍ୟାଳୟ ଖୋଲା ନଥିବା ନେଇ ଅଭିଯୋଗ, ଜିଓ-ଟ୍ୟାଗ୍ ଫଟୋକୁ ନେଇ ଚର୍ଚ୍ଚା
କଳାହାଣ୍ଡି, ୨୪/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ଥୁଆମୂଳ ରାମପୁର ସରକାରୀ କାର୍ଯ୍ୟାଳୟରେ ସମୟାନୁବର୍ତ୍ତିତା ଓ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ନେଇ ସରକାର ଗୁରୁତ୍ୱ ଦେଉଥିବା ବେଳେ ଥୁଆମୂଳ ରାମପୁର କୃଷି ବିଭାଗ କାର୍ଯ୍ୟାଳୟକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି। ପୂର୍ବାହ୍ନ ପ୍ରାୟ ୧୧ଟା ୨୦ ମିନିଟ୍ ସମୟରେ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ନେଇ ଏକ ଜିଓ-ଟ୍ୟାଗ୍ ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଦୁର୍ଗମ ଅଞ୍ଚଳ ହୋଇଥିବାରୁ କୃଷି ବିଭାଗ କାର୍ଯ୍ୟାଳୟରେ ନିୟମିତ ଭାବେ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହୁନଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟା ନେଇ ହଇରାଣ ହେଉଛନ୍ତି। ଦୂରଦୂରାନ୍ତରୁ କାର୍ଯ୍ୟାଳୟକୁ ଆସୁଥିବା ଚାଷୀ ଓ ସାଧାରଣ ଲୋକେ କାର୍ଯ୍ୟାଳୟ ବନ୍ଦ ଥିବା ଯୋଗୁଁ ଫେରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଏନେଇ ବ୍ଲକ୍ କୃଷି ଅଧିକାରୀ ରୋହିତ୍ ରାଜ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅନ୍ୟ ଅଧିକାରୀମାନେ ଫିଲ୍ଡ ପରିଦର୍ଶନ କିମ୍ବା ଫାର୍ମର ରେଜିଷ୍ଟ୍ରେସନ୍ କାର୍ଯ୍ୟ ପାଇଁ ବାହାରକୁ ଯାଇଥାଇପାରନ୍ତି। ବର୍ଷା ଯୋଗୁଁ ମଧ୍ୟ କାର୍ଯ୍ୟାଳୟ ବନ୍ଦ ଥାଇପାରେ ବୋଲି ସେ କହିଛନ୍ତି। ଶ୍ରୀ ସିଂଙ୍କ କହିବା ଅନୁଯାୟୀ, ତାଙ୍କର ମୂଳ ପୋଷ୍ଟିଂ ଭବାନୀପାଟଣାରେ ଥିବାବେଳେ ଥୁଆମୂଳ ରାମପୁରରେ କୌଣସି ଅଧିକାରୀ ନଥିବାରୁ ତାଙ୍କୁ ଡେପୁଟେସନ୍ରେ ଦାୟିତ୍ୱ ଦିଆଯାଇଛି। ନୂଆ ନିଯୁକ୍ତ ଅଧିକାରୀ ଟ୍ରେନିଂରୁ ଫେରିବା ପରେ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ସ୍ୱାଭାବିକ ଭାବେ ଚାଲିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ସରକାରୀ କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟରେ ଖୋଲିବା ଏବଂ ଚାଷୀମାନଙ୍କୁ ଆବଶ୍ୟକ କୃଷି ସେବା ଯୋଗାଇବା ନିଶ୍ଚିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତି ଓ ସରକାରୀ କାର୍ଯ୍ୟ ସୁଚାରୁ ଭାବେ ଚାଲୁଛି କି ନାହିଁ, ତାହା ଯାଞ୍ଚ କରିବାକୁ ମଧ୍ୟ ଦାବି ହୋଇଛି।
କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ