Hot Posts

6/recent/ticker-posts

ନୂଆପଡାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR)-୨୦୨୬ ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ।

ନୂଆପଡା, ୧୯/୦୫ ( ପରମେଶ୍ୱର ମେହେର ) : ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR)-୨୦୨୬ ସମ୍ପର୍କରେ ଆଜି ମୁଖ୍ୟାଳୟ ସମ୍ମେଳନ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଡେପୁଟୀ ଜିଲ୍ଲାପାଳ (ନିର୍ବାଚନ) ଏସ୍‌.କେ. ନସିମ ବୈଠକର କାର୍ଯ୍ୟସୂଚୀ ଓ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୨୬ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ର ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଲେଭେଲ ଏଜେଣ୍ଟ (BLA) ନିଯୁକ୍ତ କରିବାକୁ କୁହାଯାଇଥିଲା। ଏହି ବିଏଲଏମାନଙ୍କ ତାଲିକା ତିନି ଦିନ ମଧ୍ୟରେ ଦାଖଲ କରିବା ପାଇଁ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ, ବିଏଲଏମାନେ ବୁଥ୍ ଲେଭେଲ ଅଫିସର (BLO)ମାନଙ୍କ ସହ ସମନ୍ୱୟ ରଖି ଖସଡା ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ, ନୂତନ ନାମ ସମ୍ମିଳନ ଓ ବିଲୋପ କାର୍ଯ୍ୟରେ ସହଯୋଗ କରିବେ। ଖସଡା ପ୍ରକାଶ ପୂର୍ବରୁ ବିଏଲଏମାନେ ପ୍ରତିଦିନ ସର୍ବାଧିକ ୫୦ଟି ଏବଂ ଖସଡା ପ୍ରକାଶ ପରେ ପ୍ରତିଦିନ ୧୦ଟି ପର୍ଯ୍ୟନ୍ତ ଫର୍ମ ଦାଖଲ କରିପାରିବେ। ସେହିପରି ଆବେଦନପତ୍ରର ସତ୍ୟତା ନିଜେ ଯାଞ୍ଚ କରିଥିବା ସମ୍ବନ୍ଧୀୟ ଏକ ଅଣ୍ଡରଟେକିଂ ମଧ୍ୟ ଦେବାକୁ ପଡିବ ବୋଲି କୁହାଯାଇଥିଲା। ସେହିପରି, ଏଇଇଆରଓ ମାନଙ୍କୁ ସ୍ୱେଚ୍ଛାସେବୀମାନଙ୍କ ତାଲିକା ପ୍ରଦାନ କରିବାକୁ କୁହାଯାଇଥିଲା। ବିଏଲଏ ଓ ସ୍ୱେଚ୍ଛାସେବୀମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। କାର୍ଯ୍ୟସୂଚୀ ଅନୁଯାୟୀ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୨୬ର ଯୋଗ୍ୟତା ତାରିଖ ୦୧ ଜୁଲାଇ ୨୦୨୬ ରହିଥିବାବେଳେ, ପ୍ରସ୍ତୁତି, ପ୍ରଶିକ୍ଷଣ ଓ ପ୍ରିଣ୍ଟିଂ କାର୍ଯ୍ୟ ୨୦ ମେରୁ ୨୯ ମେ ପର୍ଯ୍ୟନ୍ତ ଚାଲିବ। ୩୦ ମେରୁ ୨୮ ଜୁନ ପର୍ଯ୍ୟନ୍ତ ଘରକୁ ଘର ଯାଇ ଯାଞ୍ଚ କାର୍ଯ୍ୟ କରାଯିବ। ଖସଡା ଭୋଟର ତାଲିକା ୦୫ ଜୁଲାଇରେ ପ୍ରକାଶ ପାଇବା ସହ ଦାବି ଓ ଆପତ୍ତି ଗ୍ରହଣ କାର୍ଯ୍ୟ ୦୫ ଜୁଲାଇରୁ ୦୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଚୂଡାନ୍ତ ଭୋଟର ତାଲିକା ୦୬ ସେପ୍ଟେମ୍ବର ୨୦୨୬ରେ ପ୍ରକାଶ ପାଇବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୂର୍ମୀ ସୋରେନ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଏଇଇଆରଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।