Hot Posts

6/recent/ticker-posts

କନ୍ଧମାଳ ମହୋତ୍ସବ, କୃଷି ପ୍ରାଣୀ ସମ୍ପଦ ମେଳା ଓ ପଲ୍ଲୀଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ

କନ୍ଧମାଳ, ୦୩/୧୨ (ଅଚ୍ୟୁତ ଜାନୀ) : ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ(ପଞ୍ଚାୟତ ଭବନ) ଠାରେ ଜିଲ୍ଲାପାଳ, କନ୍ଧମାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ମହୋତ୍ସବ, କୃଷି ମେଳା, ପ୍ରାଣୀସମ୍ପଦ ମେଳା ଓ ପଲ୍ଲିଶ୍ରୀ ମେଳା ୨୦୨୬ର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ମହୋଦୟ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ କନ୍ଧମାଳ ଜିଲ୍ଲାର ସଂସ୍କୃତି ଓ ପରମ୍ପରା ଏବଂ ଅନ୍ୟ ରାଜ୍ୟ ଓ ଦେଶର ପରମ୍ପରା ସହ ଲୋକଙ୍କୁ ଯୋଡିବା ସହିତ କୃଷକ ଓ ଜନମାନସଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କନ୍ଧମାଳ ମହୋତ୍ସବ, କୃଷି ମେଳା, ପ୍ରାଣୀସମ୍ପଦ ମେଳା ଓ ପଲ୍ଲିଶ୍ରୀ ମେଳା ଏକା ସାଙ୍ଗରେ କରାଯିବ । ଏଥିପାଇଁ କନ୍ଧମାଳକୁ ଅଗ୍ରାଧିକାର ଦେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପୂର୍ବ ବର୍ଷର ଆୟ ଓ ବ୍ୟୟ ତଥ୍ୟ ORMAS ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିଲା । ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ, ଫୁଲବାଣୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଗଦାଧର ପାତ୍ର ପୂର୍ବ ବର୍ଷର ପ୍ରସ୍ତୁତି ବୈଠକର ବିବରଣୀ ପଠନ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା ସମସ୍ତ କମିଟିର କର୍ମକର୍ତ୍ତା ନିର୍ଦ୍ଧାରଣ କରିଥିଲେ । ସଭାରେ ଉପସ୍ଥିତ ବିଜ୍ଞବ୍ୟକ୍ତିମାନେ ଏହି ମହୋତ୍ସବକୁ ସଫଳ କରିବା ପାଇଁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ ଏବଂ ଏହା ଉପରେ ଗୁରୁତ୍ଵ ଦେଇ ଏହାର କାର୍ଯ୍ୟକାରୀପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ସର୍ବସମ୍ମତି କ୍ରମେ ୭-୧୧ ଜାନୁଆରୀ ୨୦୨୬ରେ କନ୍ଧମାଳ ଷ୍ଟାଡିୟମଠାରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏହି ବୈଠକକୁ ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ, ଫୁଲବାଣୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଗଦାଧର ପାତ୍ର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ,କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ,ଉପଜିଲ୍ଲାପାଳ,ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଶ୍ରୀ ପ୍ରବୀଣ ବାଣୁଆ, ମାନ୍ୟବର ସାଂସଦ,କନ୍ଧମାଳଙ୍କ ପ୍ରତିନିଧି ଶ୍ରୀ ଅଜିତ ପଟ୍ଟନାୟକ, ମାନ୍ୟବର ବିଧାୟକ,ଫୁଲବାଣୀଙ୍କ ପ୍ରତିନିଧି ଶ୍ରୀ ଭଗବାନ ମହାନ୍ତି, ପ୍ରକଳ୍ପ ପ୍ରଶାସକ, ଆଦିବାସୀ ଉନ୍ନୟନ ସଂସ୍ଥା,ବାଲିଗୁଡା ଶ୍ରୀ କୃପାସିନ୍ଧୁ ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ଆଇନଜୀବୀ, ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବୀ, କଳାକାର, ବିଭିନ୍ନ ଏନଜିଓ କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।