ମନରେଗା ସଚେତନତା ପାଇଁ ଗାଁ ଗାଁ ବୁଲୁଛନ୍ତି ବିଡିଓ
ଗାଇସିଲେଟ, ୦୧/୧୨ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ବିଡିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀଙ୍କ ସଭାପତିତ୍ୱରେ ମନରେଗା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଦାଦନ ପ୍ରବଣ ବ୍ଲକ ପାଇଁ ମନରେଗା ଯୋଜନାରେ ରାଜ୍ୟ ସରକାର ୧୦୦ ଦିନରୁ ୩୦୦ ଦିନକୁ ବୃଦ୍ଧି କରିବା ସହ ୯୮ ଟଙ୍କା ବର୍ଦ୍ଧିତ ମଜୁରୀ ଦେବା ପାଇଁ ଘୋଷଣା କରିଛନ୍ତି । ଯାହା ଫଳରେ ଲୋକେ ବାହାର ରାଜ୍ୟକୁ କାମ କରିବା ପାଇଁ ନ ଯାଇ ନିଜ ଭିଟାମାଟି ରେ ରହି ବର୍ଷକୁ ୩୦୦ ଦିନ କାମ ପାଇ ପାରିବେ । ଶ୍ରମିକ ସ୍ଥାନାନ୍ତରଣ ରୋକିବା ଓ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ଗାଁ ଗାଁ ରେ ପହଞ୍ଚାଇବା ପାଇଁ ବିଡିଓ ଶ୍ରୀଯୁକ୍ତ ମାଝୀ ଅଣ୍ଟା ଭିଡିଛନ୍ତି । ଏହା ସହିତ ବ୍ୟକ୍ତିଗତ ସ୍ତରରେ ଲୋକ ମାନଙ୍କୁ ଖୁବ୍ ଶୀଘ୍ର ଗାଈ ଗୁହାଳ,ଛେଳି ଗୁହାଳ,ଫାର୍ମ ପଣ୍ଡ,ଜମି ମରାମତି ଆଦି କାମ ଆବଶ୍ୟକ ଅନୁଯାୟୀ ୱାର୍କ କୋଡ ଖୋଲି ଜିଲ୍ଲାସ୍ତରରୁ ୧୫ ଦିନ ଭିତରେ ଅନୁମୋଦନ କରାଇ କାମ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ ଏବଂ ମନରେଗା ଯୋଜନାରେ ଦୈନିକ ବହୁ ସଂଖ୍ୟାରେ ଶ୍ରମିକ ନିୟୋଜିତ କରିବା ପାଇଁ ଅନୁରୋଧ କରିଥିଲେ । ପ୍ରତି ଶ୍ରମିକ ପରିବାରଙ୍କୁ ୩୦୦ ଦିନ ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ଅନ୍ୟାନ୍ୟ ସରକାରୀ ଯୋଜନା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ପଣ କରନ୍ତୁ ବୋଲି ବିଡିଓ ମହାଶୟ ଲୋକମାନଙ୍କୁ ସଚେତନ କରିଥିଲେ । ସମସ୍ତ ହିତାଧିକାରୀ ମାନଙ୍କ ଜବ୍ କାର୍ଡ,ଅଧର୍କାର୍ଡ, ନକ୍ସା ଓ ପଟ୍ଟା ପ୍ରସ୍ତୁତ କରି ୱାର୍କ୍ କୋଡ ଖୋଲିବା ପାଇଁ ସ୍ଥାନୀୟ ପି.ଇ.ଓ ଏବଂ ଏ.ଡି.ଓ ଙ୍କୁ ନିର୍ଦ୍ଧେଶ ଦେଇଥିଲେ ବିଡିଓ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ନୀଳମଣି ବରିହା, ଏ.ପି.ଓ କେତନ ପଧାନ,ବି.ପି.ସି ଅଭୟ ପଧାନ,ସରପଞ୍ଚ ସଞ୍ଜୀବ କୁମାର ସାହୁ,ସମିତି ସଭ୍ୟା ମିନତୀ ମାଝୀ,ପି. ଇ.ଓ ଡିଲେଲେଶ୍ୱର ସାହୁ, ଏ.ଡି.ଓ ବାସୁଦେବ ପଧାନ,ମେଟ୍ ଖୁସିନ୍ଦ୍ର ସାହୁ,କଳ୍ପନା ବରିହା ପ୍ରମୁଖ ଯୋଗ ଦେଇଥିବା ବେଳେ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ