ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
କଟକ, ୨୨/୦୯ ( କାହୁଁ ଚରଣ ବାରିକ ) : କଟକ ନୟାସଡ଼କସ୍ଥିତ ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ମାରୱାଡ଼ୀ କ୍ଲବ୍ ପରିସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ରେଞ୍ଜର୍ସ ଲିଡର ମଞ୍ଜୁସ୍ମିତା ବିଶ୍ୱାଳ, ଜାତୀୟ ସେବା ଯୋଜନାର ଡଃ ଦମୟନ୍ତୀ ମାରଣ୍ଡି ଏବଂ ଯୁବ ରେଡ୍କ୍ରସ୍ର କାଉନସିଲର ସୁମିତା ଆଚାର୍ଯ୍ୟଙ୍କ ଉଦ୍ୟମରେ ଏହି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଶାଶ୍ୱତୀ ସୌମ୍ୟା ସାହୁଙ୍କ ପୌରୋହିତ୍ୟରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଏସିପି (କଟକ) ଅନନ୍ୟା ଅବସ୍ତି ଯୋଗଦେଇ ଛାତ୍ରୀମାନଙ୍କୁ ଟ୍ରାଫିକ୍ ନିୟମ ପାଳନ, ହେଲମେଟ୍ ଓ ସିଟ୍ବେଲ୍ଟ ବ୍ୟବହାର ଉପରେ ସଚେତନ କରିଥିଲେ। ନିଜ ଜୀବନ ସୁରକ୍ଷିତ ରଖିବା ସହ ରାସ୍ତାରେ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ଦାୟିତ୍ୱଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାରୱାଡ଼ୀ ସମାଜ, କଟକର ସଭାପତି ସଞ୍ଜୟ ଶର୍ମା ଯୋଗଦେଇ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଇତିହାସ ବିଭାଗର ଅଧ୍ୟାପିକା ଡଃ ମୌସୁମୀ ରାଉତ୍ରାୟ ସଭା ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଶେଷରେ ରେଞ୍ଜର୍ସ ଲିଡର ମଞ୍ଜୁସ୍ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।