ଜି.ସି.କଲେଜରେ ଆଲୋଚନା ଚକ୍ର, "ଭାରତର ସ୍ୱାଧୀନତା ସଂଗ୍ରାମରେ ବରୀର ଅବଦାନ"
ବରୀ, ୦୧ / ୧୨ ( ରଂଜିତ ମହାନ୍ତି ) : ବରୀ ମାଟି ତ୍ୟାଗ, ବଳିଦାନ ଓ ତିତୀକ୍ଷାର ମାଟି । ଏ ମାଟିର ପଟାନ୍ତର ନାହିଁ । ସେଦିନର ବରୀ ଓ ଆଜିର ବରୀ ମଧ୍ୟରେ ଅନେକ ଫରକ ରହିଛି । ସ୍ୱାଧୀନତା ସଂଗ୍ରାମରେ ବରୀ ଅଞ୍ଚଳର ସଂଗ୍ରାମୀ ଯେଉଁ ସଂଗ୍ରାମ କରିଛନ୍ତି ତାହା ବରୀ ମାଟିକୁ ସାରା ଦେଶରେ ଭିନ୍ନ ପରିଚୟ ଦେଇଛି । ବିଗତ ଦିନରେ ବରୀର ବ୍ୟାପକ ବିକାଶ ସାଧିତ ହୋଇଛି । ନଦୀ ନାଳ ଉପରେ ଅନେକ ସେତୁ ସ୍ଥାପନ ହୋଇ ଗମନାଗମନର ବିକାଶ ହୋଇଛି । ବରୀର ଆହୁରି ବିକାଶ ଆବଶ୍ୟକ ଅଛି । ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଗ୍ରାମ ଆମକୁ ସ୍ୱାଧୀନତା ଦେଇଛି ସତ ହେଲେ ଏବେ ବି ବିଭିନ୍ନ କ୍ଷେତ୍ରରେ ଆମେ ପରାଧୀନ ଅଛୁ । ଏହାର ପରିବର୍ତ୍ତନର ଆଵଶ୍ୟକତା ଅଛି । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ତୁମ ମାନଙ୍କ ମଧ୍ୟରୁ ଭବିଷ୍ୟତରେ କିଏ ବୈଜ୍ଞାନିକ ହେବେ, କିଏ ରାଜନୀତି କରିବେ ତ ଆଉ କିଏ ଡାକ୍ତର ଇଞ୍ଜିନିୟର ହେବେ । ମନ ଦେଇ ପାଠପଢି ଏ ପବିତ୍ର ଅନୁଷ୍ଠାନ ଓ ମାଟିର ମାନ ରଖିବାକୁ ଉଦ୍ୟମ କର । ଜିଲ୍ଲାର ଏହି ଦ୍ଵିତୀୟ ପୁରାତନ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବାକୁ ସରକାର ପଦକ୍ଷେପ ନେବା ଉଚିତ ବୋଲି ମତ ଦେଇଥିଲେ ରାଜ୍ୟର ଅନ୍ୟତମ ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ଭାରତର ସ୍ୱାଧୀନତା ସଂଗ୍ରାମରେ ବରୀର ଅବଦାନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଯାଜପୁର ସଂସ୍କୃତି ଓ ବିକାଶ ପରିଷଦ, ଭୁବନେଶ୍ୱର ଏବଂ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ସହ ଭାଗୀତାରେ ଏହି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ବିଶିଷ୍ଠ ଆଇନଜୀବି ନଟବର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ସମ୍ମାନିତ ଅତିଥି ଭାବେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ ଯୋଗଦାନ କରିଥିଲେ । ଆଲୋଚକ ଭାବେ ବିଶିଷ୍ଟ ଶିକ୍ଷାବିତ ଡ଼. ବିଜୟ କିଶୋର ସାମଲ, ଡ଼. ଶରତ କୁମାର ବିଶ୍ବାଳ, ଡ଼. ଭାଗବତ ଶୁକ୍ଳ, ପ୍ରମେଶ ମହାନ୍ତି ଯୋଗଦାନ କରି ବରୀର ସଂଗ୍ରାମୀ ଓ ସଂଗ୍ରାମ ବିଷୟରେ ଅବତାରଣା କରିଥିଲେ । ଅତିଥି ମାନେ ପ୍ରଥମେ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ଅଶୋକ କୁମାର ବାରିକ ସ୍ୱାଗତ ଭାଷଣ ପ୍ରଦାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ କରି ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ସହିତ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଅତିଥି ମାନେ ସ୍ୱାଧୀନତା ସଂଗ୍ରାମରେ ବରୀ ଅଞ୍ଚଳର କିଭଳି ଭୂମିକା ଥିଲା ତା ଉପରେ ଆଲୋକପାତ କରିଥିଲେ । ବନ୍ୟା ପ୍ରପୀଡ଼ିତ ବରୀ ଅଞ୍ଚଳରେ ପ୍ରାତ ସ୍ମରଣୀୟ ଗୋପବନ୍ଧୁ ଚୌଧୁରୀ, ମା ରମାଦେବୀ ଓ ତାଙ୍କ ପରିବାର ସହିତ ବରୀ ଅଞ୍ଚଳର ସଂଗ୍ରାମୀ କିଭଳି ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେବା ସହିତ ବିଭିନ୍ନ ରଚନାତ୍ମକ କାର୍ଯ୍ୟ କରିଥିଲେ ସେ ବିଷୟରେ ଅବତାରଣା କରିଥିଲେ । ବରୀ ମାଟି ଏକ ପବିତ୍ର ମାଟି, ସହିଦ ମାଟି ଓ ବଳିଦାନର ମାଟି ବୋଲି ମତବ୍ୟକ୍ତ କରିଥିଲେ । ଗୋପବନ୍ଧୁଙ୍କ ନାମରେ ନାମିତ ଏହି ଅନୁଷ୍ଠାନ ବେବଳ ବରୀ କିମ୍ବା ଜିଲ୍ଲାରେ ନୁହେଁ ରାଜ୍ୟରେ ଶିକ୍ଷାର ପ୍ରସାର କରୁଥିଲା ବେଳେ ଏହି ଅନୁଷ୍ଠାନ ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଥିଲେ । ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ନିଜ ବକ୍ତବ୍ୟରେ ବରୀର ପବିତ୍ର ମାଟିକୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଆଗାମି ଦିନରେ କଲେଜର ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ଗୁରୁତ୍ୱ ଦେବେ ବୋଲି କହିଥିଲେ । ସମ୍ମାନିତ ଅତିଥି କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ ସମସ୍ତ ଆଗନ୍ତୁକ ଅତିଥି ଓ ଯାଜପୁର ସଂସ୍କୃତି ବିକାଶ ପରିଷଦର ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହିତ ଏହି ମହାନ ଆଲୋଚନା ଚକ୍ର ଆୟୋଜନ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହା ସହିତ କଲେଜକୁ ସରକାରୀ କଲେଜର ମାନ୍ୟତା ପାଇଁ ସମସ୍ତେ ଉଦ୍ୟମ କରିବାକୁ ନିବେଦନ କରିଥିଲେ । ଶେଷରେ ବିଶିଷ୍ଟ ବୈଜ୍ଞାନିକ ତଥା ଶିକ୍ଷାବିତ ଡ଼. ଚିତ୍ତରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।