କଳାହାଣ୍ଡି, ୦୩/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ଭିନ୍ନକ୍ଷମ ମାନଙ୍କୁ ନେଇ ସକାଳେ ଆୟୋଜିତ ହୋଇଥିବା ୱାକଥନ ରେଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଠାରେ ସମାପ୍ତ ହୋଇଥିଲା । ଏହି ରେଲିରେ ଜିଲ୍ଲାର ବିଭିନ୍ନ ଭିନ୍ନକ୍ଷମ ସଂଗଠନ, ସ୍ବତନ୍ତ୍ର ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହ ଅନ୍ୟାନ୍ୟ ସଂଗଠନ ମାନେ ସାମିଲ ହୋଇଥିଲେ। ଏହି ରେଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦର୍ବାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିବା ମୁଖ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସ୍ବତନ୍ତ୍ର ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ, ଭିନ୍ନକ୍ଷମ ସଂଗଠନ ମାନଙ୍କର ସଦସ୍ୟ ସଦସ୍ୟା, ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀ, ଅଭିଭାବକ ଯୋଗ ଦେଇ ଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଳା ପରିଷଦର ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦର୍ବାନ୍ ବିଶିଷ୍ଟ ଅତିଥି, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ ସମ୍ମାନିତ ଅତିଥି, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧକାରୀ ଡ଼ା ପୂର୍ନେନ୍ଦୁ ଶେଖର ବିଶ୍ୱାସ, ଜିଲ୍ଲା ବିକଳାଙ୍ଗ ମଞ୍ଚର ଅଧ୍ୟକ୍ଷ ଶ୍ରୀ ସୁରେଶ ଚୌଧୁରୀ, ଜିଲ୍ଲା ଭିନ୍ନକ୍ଷମ ସମିତି ଅଧ୍ୟକ୍ଷ ଶ୍ରୀ ହେମନ୍ତ ତାଣ୍ଡି ଓ ଜିଲ୍ଲା ମୁକ ଓ ବଧିର ସଂଘର ଅଧ୍ୟକ୍ଷ ଶ୍ରୀ ଶୋଭନ ରଥ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ସମ୍ବୋଧିତ କରି ମାର୍ଗ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ, ତିନି ଜଣ ଭିନ୍ନକ୍ଷମଙ୍କୁ ତିନି ଚକିଆ ଗାଡ଼ି ପ୍ରଦାନ କରାଯାଇଥିଲା। ପୂର୍ବରୁ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ଖେଳକୁଦ,ଗୀତ, ପ୍ରବନ୍ଧ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସ୍ବତନ୍ତ୍ର ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା ଶ୍ରୀ ଆଲୋକ ସାହୁ, ଶ୍ରୀ ରମେଶ ଜେନା ଓ ସୁଶ୍ରୀ ରାଜଶ୍ରୀ ପ୍ରିୟଦର୍ଶିନୀ କରିଥିବା ବେଳେ ଶ୍ରୀ ରମେଶ ଜେନା ଆନୁଷ୍ଠାନିକ ଭାବେ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ଅତିଥି, ଛାତ୍ରଛାତ୍ରୀ, ଅଭିଭାବକ, ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ପାଇଁ ଭୂରୀ ଭୋଜନର ବ୍ୟବସ୍ଥା କରାଯାଇଥିଲା,ଯାହା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ







