ଜିଲ୍ଲା ଦିଶା କମିଟି ବୈଠକ - ଜିଲ୍ଲାରେ କାର୍ଯକାରୀ ହେଊଥିବା ବିଭିନ୍ନ ଯୋଜନାର ଅଗ୍ରଗତି ଓ ସଫଳତା ଉପରେ ସମୀକ୍ଷା ।
ଭବାନୀପାଟଣା, ୨୬/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା “ଦିଶା” ବୈଠକ ଆଜି ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ସାଂସଦ (ଲୋକସଭା) ଶ୍ରୀମତୀ ମାଳବିକା ଦେବୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଡି.ଏଫ୍.ଓ.(ଦକ୍ଷିଣ) ଆର୍. କଲାଇଭାନନ, ଭାରତୀୟ ବନସେବା ଅଧିକାରୀ (ପ୍ରୋବେଶନ) ପ୍ରଭାକର ବର୍ମା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲା ପରିଷଦ ଦୁର୍ଯ୍ୟୋଧନ ଭୋଇ, ଉପ ନିର୍ଦ୍ଦେଶକ ପ୍ଲାନିଂଙ୍ଗ ଶ୍ରୀକାନ୍ତ ଦଳାଇ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଭୋଇ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିବା ପାଇଁ ମାନନୀୟା ସାଂସଦ ତଥା ଅଧ୍ୟକ୍ଷ୍ୟା “ଦିଶା କମିଟି” ଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରକାଶ ଜିଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନା ର ସଫଳ ରୂପାୟନ ଉପରେ ଗୁରୁତ୍ଵ ଦେଇ ଜନ ପ୍ରତିନିଧି ଓ ଅଧ୍ୟକ୍ଷଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଅଭିଯୋଗ ଉପରେ ସଠିକ୍ ମତ ରଖିବାକୁ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଦିଶା ଅଧ୍ୟକ୍ଷା-ତଥା-ସାଂସଦ, କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଯଥା :- ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଗମନାଗମନ, ଆର.ଡି., ପି.ଡବ୍ଲୁ.ଡି., ଜଳସେଚନ, ବିଦ୍ୟୁତୀକରଣ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ଅବକାରୀ ,ଜଙ୍ଗଲ ଓ ପରିବେଶ ସୁରକ୍ଷା ଇତ୍ୟାଦି ଯୋଜନାର ଅଗ୍ରଗତି, ସଫଳତା ଓ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଉପରେ ସମୀକ୍ଷା କରିଥିଲେ । ସେହିପରି ଜିଲ୍ଲାର ବିକାଶ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗ ମଧ୍ୟରେ ସମ୍ମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଜିଲ୍ଲାରେ ଲୋକଙ୍କ ଆବଶ୍ୟକ ମୁତାବକ ଅନୁଯାୟୀ ପାନୀୟଜଳ ପ୍ରକଳ୍ପର ତ୍ଵାରାନ୍ନିତ କରିବା ପାଇଁ ମାନନୀୟା ସାଂସଦ ପରାମର୍ଶ ଦେଇଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କଳାହାଣ୍ଡି ଜିଲ୍ଲାରେ ସର୍ବମୋଟ ୧୩,୬୭,୭୧୩ ଜଣ ହିତାଧିକାରୀ ଉପକୃତ ହେଉଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ । ଚଳିତ ଖରିଫ ଋତୁରେ ଜିଲ୍ଲାରେ ୩୬,୫୮,୦୦୦ କ୍ଵିଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଚଳିତ ମାସ ୨୯ ତାରିଖରୁ ଗୋଳାମୁଣ୍ଡା ବ୍ଲକ ରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ସ୍ଥିର କରାଯାଇଛି । ଜିଲ୍ଲାରେ ଅନ୍ତୋଦୟ ଗୃହ ଯୋଜନା ଲକ୍ଷଧାର୍ଯ୍ୟ ୬,୮୨୮ ଥିବା ବେଳେ ୬,୮୦୨ ପଞ୍ଜୀକୃତ ହିତାଧିକାରୀ ଙ୍କ ମଧ୍ୟରୁ ୬,୬୨୮ ଜଣଙ୍କୁ ଗୃହ ମଞ୍ଜୁର କରାଯାଇଛି । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଜିଲ୍ଲାର ୧୩ ଗୋଟି ବ୍ଲକ ର ୩୩୨ ସ୍କୁଲ ରେ କାର୍ଯ୍ୟକାରୀ କରାଯାଉଛି ଏବଂ ଏଥିରେ ୪୨,୭୬୧ ଜଣ ପିଲା ଉପକୃତ ହେଉଛନ୍ତି ସେହିପରି ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଜିଲ୍ଲାର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ର ୨,୧୬୩ ବିଦ୍ୟାଳୟ ର ସମୁଦାୟ ୧,୮୬,୭୪୬ ଉପକୃତ ହେଉଛନ୍ତି । ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ରେ ମଞ୍ଜୁରୀ ପ୍ରାପ୍ତ ୬୦୬ ଗୋଟି ଡାକ୍ତର ପଦବୀ ମଧ୍ୟରୁ ୨୦୪ ଜଣ ଡାକ୍ତର ରହିଥିବା ବେଳେ ୪୦୨ ଗୋଟି ଡାକ୍ତର ପଦବୀ ଖାଲି ରହିଛି ସେହିପରି ସ୍ଵାସ୍ଥ୍ୟ ବିଭାଗ ର ବିଭିନ୍ନ ପଦବୀ ଖାଲି ରହିଥିବା ବୈଠକରେ ଆଲୋଚନା କରାଯାଇଥିଲା । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ନିମନ୍ତେ ଆବଶ୍ୟକ ପଦବୀ ଯଥାଶୀଘ୍ର ପୂରଣ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାପାଇଁ ଆଲୋଚନା କରାଯାଇଥିଲା । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ତା.୦୧.୦୪.୨୦୨୫ ରିଖ ରୁ ତା. ୨୪.୧୧.୨୦୨୫ ରିଖ ମଧ୍ୟରେ ୨୮୪ ଜଣଙ୍କୁ ଶିକ୍ଷା ସହାୟତା ବାବଦକୁ ଟ.୨୧,୭୨,୬୦୦/-, ୩୩୪ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ଟ.୮,୧୭,୦୦,୦୦୦/-, ୨୭୭ ଜଣଙ୍କୁ ଅନ୍ତିମ ସଂସ୍କାର ବାବଦକୁ ଟ. ୧୩,୮୫,୦୦୦/-, ୪୧୫ ଜଣଙ୍କୁ ବିବାହ କାଳୀନ ସହାୟତା ବାବଦକୁ ଟ. ୨,୦୪,୭୫,୦୦୦/-, ୩୫ ଜଣଙ୍କୁ ମାତୃତ୍ୱ କାଳୀନ ଆର୍ଥିକ ସହାୟତା ବାବଦକୁ ଟ. ୩,୫୦,୦୦୦/- ଏହିପରି ଜିଲ୍ଲାର ସମୁଦାୟ ୧,୩୪୫ ଜଣ ହିତାଧିକାରୀଙ୍କୁ ଟ.୧୦,୬୦,୮୨,୬୦୦/- ପ୍ରଦାନ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ଜିଲ୍ଲାର ଉନ୍ନତି ଓ ବିକାଶ ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଯତ୍ନବାନ ହୋଇ ନିଜ ନିଜ ବିଭାଗୀୟ କାର୍ଯ୍ୟ ଜିଲ୍ଲାର ଉନ୍ନତି ଓ ବିକାଶ ନିମନ୍ତେ କାର୍ଯ୍ୟ କରିବା ପାଇଁ ମାନନୀୟା ସାଂସଦ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବ୍ଲକ ର ଅଧ୍ୟକ୍ଷ, ସହରାଞ୍ଚଳ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲା ପରିଷଦ ଶ୍ରୀ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ ।