ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଭାଗୀୟ ଅଧିକାରୀଙ୍କ ବେଖାତିର,
ନୂଆପଡା, ୩୦/୦୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପର ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ସମସ୍ୟାର ଅନ୍ତ ଘଟୁ ନାହିଁ। ଏଣେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଭାଗୀୟ ଅଧିକାରୀଙ୍କ ବେଖାତିର କରୁଥିବା ଅଭିଯୋଗ ହୋଇଛି । ୨୫ବର୍ଷ ବିତିଯାଇଥିଲେ ବି ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପର ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ସମସ୍ୟା ଅନୁ ଘଟୁ ନାହିଁ । ୨୦୨୨ ନଭେମ୍ବର ୧୨ରେ ଷଷ୍ଠ ଆରପିଡ଼ିଏସି ବୈଠକ ହୋଇଥିଲା । ୪ବର୍ଷ ବିତିଯାଇଥିଲେ ମଧ୍ଯ ସେହି ବୈଠକର ସମସ୍ତ ନିଷ୍ପତି ତଥା ପ୍ରସ୍ତାବ କାର୍ଯ୍ୟକାରୀ ହେଉନି। ଏଥିରେ ନିଷ୍ପତି ଅନୁସାରେ ସରକାରୀ ଅର୍ଥର ସୁବିନିଯୋଗ ଓ ୱଚ୍ଛତା ପାଇଁ ବିସ୍ଥାପନ, କ୍ଷତିପୂରଣ ଓ ଥଇଥାନ ରାଶିର ସାମାଜିକ ସମୀକ୍ଷା। ବିସ୍ଥାପିତଙ୍କ ନୂତନ ପୁନର୍ବାସ ସମୂହ ଗାଁରେ ଶିକ୍ଷା, ବିଜୁଳି, ପାନୀୟ ଜଳ ଯୋଗାଣ, ଅଙ୍ଗନଓ୍ବାଡ଼ି କେନ୍ଦ୍ର, ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ସାମାଜିକ ଓ ସାଂସ୍କୃତିକ ସୁବିଧା ସୁଯୋଗର ଉନ୍ନତି ଓ ସୁବ୍ୟବସ୍ଥା ସୁନିଶ୍ଚିତ ହେଉ। ସମସ୍ତଙ୍କୁ ସମାନ ନ୍ୟାୟ କ୍ରମରେ ପ୍ରକଳ୍ପ ନିମନ୍ତେ ଅଧିକୃତ ଜମିର ପ୍ରତ୍ୟେକ ଗାଁ ପାଇଁ ନ୍ୟାୟାଳୟଙ୍କ ଦ୍ୱାରା ଆଦେଶ ପ୍ରଦତ୍ତ ସର୍ବାଧିକ ଦରକୁ ଏକକ ଦର ମାନ୍ୟତା ଦେଇ ବିସ୍ଥାପିତଙ୍କୁ ବକେୟା ବର୍ଦ୍ଧିତ ଦର ପ୍ରଦାନ । ୨୦୨୧ ମାର୍ଚ୍ଚ ୧୦ ପ୍ରକଳ୍ପର ଲୋକାର୍ପଣ ଦିବସକୁ ଶେଷ ସୀମା ଯୋଗ୍ୟତା ତାରିଖ ରୂପେ ଘୋଷଣା। ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରଙ୍କ ବିସ୍ଥାପନ ପୁନର୍ବସତି ଓ ଥଇଥାନ, କ୍ଷତିପୂରଣ ପ୍ରଦାନ ପାଇଁ ବର୍ତ୍ତମାନ ସ୍ଥିତି ଆକଳନ ପାଇଁ ଅଭିଜ୍ଞତା ସମ୍ପନ୍ନ ତୃତୀୟ ପକ୍ଷ ଦ୍ଵାରା ପ୍ରକଳ୍ପର ଏକ ପୁନର୍ବାସ ଓ ଥଇଥାନ,ପରବର୍ତ୍ତି ସାମାଜିକ ଅର୍ଥନୈତିକ ସର୍ଭେ । ଜାତୀୟ ବନ୍ଦୋବସ୍ତ ଦ୍ଵାରା ପ୍ରକଳ୍ପରେ ଥଇଥାନ ଓ ବିସ୍ଥାପିତ ପରିବାରକୁ କ୍ଷତିପୂରଣ ଓ ଥଇଥାନ । ଜିଲ୍ଲା ବାହାରେ ପୁର୍ନବସତି ଅନୁସୂଚିତ ଜନଜାତି ବିସ୍ଥାପିତଙ୍କୁ ଅତିରିକ୍ତ ଥଇଥାନ। ବିସ୍ଥାପିତଙ୍କୁ ବିସ୍ଥାପିତ ପରିଚୟ ପତ୍ର, ଭୋଟର, ଆଧାର, ରାଶନ, ସାମାଜିକ ସୁରକ୍ଷା କାର୍ଡ଼ ତଥା ବାର୍ଦ୍ଦକ୍ୟ, ବିଧବା, ଭିନ୍ନକ୍ଷମ ଭତ୍ତା କାର୍ଡ଼ରେ ନୂତନ ଠିକଣା ସଂଶୋଧନ କରି ସରକାରୀ ସୁବିଧା ସୁଯୋଗ ପ୍ରଦାନ, ଲୋୟରଇନ୍ଦ୍ର ଭଳି ରାଜ୍ୟର ସମସ୍ତ ପ୍ରକଳ୍ପର ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ଅଭିଯୋଗ ଶୁଣାଣି ପାଇଁ ରାଜ୍ୟସ୍ତରୀୟ ବିସ୍ଥାପିତ କମିଶନ ଗଠନ କରିବାକୁ ଦାବି କରିଥିଲେ । ଏପ୍ରିଲ ୨୨ରେ ଲୋୟରଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ତରଫରୁ ବିଜେପି ଜିଲ୍ଲା ସଭାପତି କମଲେଶ ଦିକ୍ଷୀତଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଜୁନ ୮ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ସଂଖ୍ୟା ୧୩୧୭ରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନୂଆପଡ଼ା ଜିଲ୍ଲାପାଳଙ୍କୁ ପଠାଇଥିଲେ। ଜୁଲାଇ ୧୭ରେ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୯୨୨୦ରେ ଖଡ଼ିଆଳ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ମାସେ ବିତି ଯାଇଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ନୂତନ ମୁଖ୍ୟମନ୍ତ୍ରୀଙ୍କୁ ୪ଥର ଦାବିପତ୍ର ଦେଇଛୁ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ଆଗାମୀ ଦିନରେ ବିସ୍ଥାପିତଙ୍କୁ ନେଇ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିସ୍ଥାପିତ ସହାୟତା ସମିତି ସଭାପତି ନିତ୍ୟାନନ୍ଦ ପ୍ରଧାନ ଚେତାବନୀ ଦେଇଛନ୍ତି ।