ବୋଲଗଡ଼ ମଣ୍ଡଳରେ ଉଲ୍ଲାସ ସମ୍ବର୍ଦ୍ଧନା ସମାରୋହ ଓ କ୍ରୀଡ଼ା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ
ବୋଲଗଡ଼, ୨୮/୦୮ (ମାନସ ରଞ୍ଜନ କର) : ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ପିଏମ୍ ଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉଲ୍ଲାସ ସମ୍ବର୍ଦ୍ଧନା ସମାରୋହ ଏବଂ ଚଳିତ ବର୍ଷର କ୍ରୀଡ଼ା ପ୍ରତିଯୋଗିତା ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ଶିକ୍ଷକ ସୁସ୍ମିକାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା ମୁଖ୍ୟ ଅତିଥି ଏବଂ ଖୋର୍ଦ୍ଧା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଦିଲ୍ଲୀପ କୁମାର ମୁଦି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ବୋଲଗଡ଼ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା, ମଣ୍ଡଳ କ୍ରୀଡ଼ା ପରିଷଦର ଉପଦେଷ୍ଟା ଜୟରାମ ଦାଶ, ବାମନ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରାନୁମା ପ୍ରଧାନ, ବୋଲଗଡ଼ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାସନାଥ ସ୍ୱାଇଁ ଏବଂ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ନିରଞ୍ଜନ ନାୟକଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ବୈଠକର ପ୍ରଥମ ପର୍ଯ୍ୟାୟରେ ମଣ୍ଡଳ କ୍ରୀଡ଼ା ସମ୍ପାଦକ ଅଭିଷେକ ମହାନ୍ତି ଗତବର୍ଷର କ୍ରୀଡ଼ା କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ।ଚଳିତ ବର୍ଷଠାରୁ କ୍ରୀଡ଼ାକୁ ପାଠ୍ୟକ୍ରମରେ ସାମିଲ କରାଯାଇଥିବାରୁ ଏହାକୁ ଗୁରୁତ୍ୱ ଦେବା ସହ ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ମନୋଭାବ ସୃଷ୍ଟି ଏବଂ କାହାରି ମନରେ ଆଘାତ ନଦେଇ ଦାୟିତ୍ୱ ସହ କାର୍ଯ୍ୟ କରିବାକୁ କ୍ରୀଡ଼ା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଜୋନାଲ ଓ ମଣ୍ଡଳସ୍ତରରେ ଚଳିତ ବର୍ଷ ହେବାକୁ ଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ସ୍ଥାନ ନିରୂପଣ ନେଇ ଆଲୋଚନା କରାଯାଇଥିଲା। ପରେ କୃତୀ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ସାକ୍ଷରତା ପକ୍ଷ ଓ ସାକ୍ଷରତା ଦିବସ ପାଳନ ସମ୍ପର୍କିତ କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ନବଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନେଇ ସାକ୍ଷରତା ହାର ବୃଦ୍ଧି ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ସାଧନ କେନ୍ଦ୍ର ସଂଯୋଜକ, ୧୪ ଜଣ ସ୍ୱେଚ୍ଛାସେବୀ ଶିକ୍ଷକ-ଶିକ୍ଷୟିତ୍ରୀ ଓ ସର୍ଭେୟରଙ୍କୁ ପ୍ରଶଂସାପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏଥିସହ ଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଶେଷରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ଅତିଥିବୃନ୍ଦ ପ୍ରଶଂସା କରିଥିଲେ।