ଓଡ଼ିଶା ସିଭିଲ ସର୍ଭିସରେ ସଫଳତା: ଜନ୍ମମାଟିରେ ପୂଜାରାଣୀ ନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଚକାପାଦ, ୦୯/୦୬ (ଅଚ୍ୟୁତ ଜାନୀ) : ଓଡ଼ିଶା ସିଭିଲ ସର୍ଭିସ (OCS) ପରୀକ୍ଷାରେ କୃତିତ୍ୱ ହାସଲ କରି କନ୍ଧମାଳ ଜିଲ୍ଲାର କୁସୁମେଣ୍ଡି ଅଞ୍ଚଳ ପାଇଁ ଗୌରବ ଆଣିଥିବା ସୁଶ୍ରୀ ପୂଜାରାଣୀ ନାୟକଙ୍କୁ ତାଙ୍କ ଜନ୍ମମାଟି ଲାଇନପଡ଼ା ଗ୍ରାମରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ପୂଜାରାଣୀ ନାୟକ ନିଜ ଗାଁକୁ ପହଞ୍ଚିବା ପରେ କୁସୁମେଣ୍ଡି ଅଷ୍ଟସମ୍ଭୁ ପରିଚାଳନା କମିଟି ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ସ୍ଥାନୀୟ ମହାବିଦ୍ୟାଳୟ ପରିସରରୁ ଏକ ବିରାଟ ପଟୁଆରରେ ଗ୍ରାମବାସୀ ଓ ମହିଳାମାନେ ତାଙ୍କୁ ନେଇ ଦୁର୍ଗାମଣ୍ଡପ ନିକଟରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଷ୍ଟସମ୍ଭୁ କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଆୟୋଜିତ ସଭାରେ ଅବସରପ୍ରାପ୍ତ କେ.ଆଇ.ଜି.ଏମ୍. ଅଧ୍ୟକ୍ଷ ତ୍ରିଲୋକ୍ୟନାଥ ସେନାପତି, ବରଡା ବାଲୁଙ୍କେଶ୍ୱର ପି.ଏମ୍. ଶ୍ରୀ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଲକ୍ଷ୍ମୀନାରାୟଣ ପୂରୋହିତ, କମିଟି ସଭାପତି ସରୋଜ ଭୋଇ, ଉପସଭାପତି ତାରିଣୀ ବେହେରା, ସମ୍ପାଦକ ରାଜେନ୍ଦ୍ର ବେହେରା, ସହ-ସମ୍ପାଦକ ସଞ୍ଜିତ ନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଜ ମତାମତ ରଖିଥିଲେ। ସଭାରେ ଦାନବିହାରୀ ନାୟକ, ପର୍ଶୁରାମ ସାହୁ, ସନ୍ତୋଷ ଭୋଇ, ସରୋଜ ସାହୁ, ନରେନ୍ଦ୍ର ନାୟକ, କୁମୁଦ ବେହେରା, ମହେଶ୍ୱର ନାୟକ, ଦୀନବନ୍ଧୁ ନାୟକ, କବିତା ମୁଖୀ, ଦିଗାମ୍ବର ନାୟକ, ଚନ୍ଦ୍ରଶେଖର ଦଳବେହେରା, ଶତ୍ରୁଘ୍ନ ନାୟକ, ଶଶୀଭୂଷଣ ବେହେରା, ଚକ୍ରପାଣି ନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ପୂଜାରାଣୀଙ୍କ ପିତା ପ୍ରଦୀପ ନାୟକ ଓ ମାତା ରାଜୁମା ନାୟକ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ। ବକ୍ତାମାନେ କହିଥିଲେ ଯେ, କୁସୁମେଣ୍ଡି ଅଞ୍ଚଳରୁ ଓଡ଼ିଶା ସିଭିଲ ସର୍ଭିସରେ ସଫଳତା ହାସଲ କରିଥିବା ପୂଜାରାଣୀ ନାୟକ ପ୍ରଥମ ମହିଳା ହୋଇଥିବାରୁ ସେ ଅଞ୍ଚଳର ଯୁବପିଢ଼ୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଆଗାମୀ ଦିନରେ ସେ ଆହୁରି ସଫଳତାର ଶିଖର ଛୁଇଁବେ ବୋଲି ସମସ୍ତେ ଆଶୀର୍ବାଦ କରିଥିଲେ।ହିନ୍ଦୀ ଶିକ୍ଷକ ଲକ୍ଷ୍ମୀନାରାୟଣ ପୂରୋହିତ ମଞ୍ଚ ପରିଚାଳନା କରିଥିବା ବେଳେ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରି ସଭାର ସମାପ୍ତି ଘୋଷଣା କରିଥିଲେ।