ଜଗତପୁରରେ ଚଢ଼ାଉ, ୨୮୯ଲିଟର ଦେଶୀ ମଦ ଜବତ : ୨ ଗିରଫ
କଟକ, ୨୪/୦୬ ( କାହୁଁ ଚରଣ ବାରିକ ) : ଦେଶୀ ମଦ ଚାଲାଣ ଅଭିଯୋଗରେ ଜଗତପୁର ଥାନା ପୋଲିସ ୨ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୁଣ୍ଟୁଣି ଥାନା ଅଧୀନ ଅଞ୍ଚଳର ସଞ୍ଜୟ କୁମାର ମହାନ୍ତି (୩୩) ଓ ବାଦାମବାଡ଼ି ଥାନା ଅଧୀନ ବିଶିନଗରର ନିରଞ୍ଜନ ଦାସ (୩୨)। ସେମାନଙ୍କ ନିକଟରୁ ୧୭ପଲିଥିନରେ ୨୮୯ଲିଟର ଦେଶୀ ମଦ ଓ ଏକ କାର (ନଂ ଓଡି୦୨ ଡି ୬୪୨୩) ଜବତ କରିବା ସହ ଥାନାରେ ଏକ ମାମଲା (ନଂ୪୦୭/୨୬ ) ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ଭୋର ସମୟରେ ଜଗତପୁର ଆନ୍ଧାରୀ ଗ୍ରାମ ନିକଟ କ୍ୟାନାଲ ରୋଡ୍ ଦେଇ ଏକ କାରରେ ଅବୈଧ ମଦ ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କାରରୁ ୧୭ଟି ପଲିଥିନ ପ୍ୟାକେଟରେ ରହିଥିବା ପ୍ରାୟ ୨୮୯ ଲିଟର ଦେଶୀ ମଦ ଜବତ ହୋଇଥିଲା। ଅଭିଯୁକ୍ତମାନେ ମଦ ପରିବହନ ସମ୍ପର୍କିତ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିବାରୁ ପୋଲିସ ମଦ ସହ କାରକୁ ମଧ୍ୟ ଜବତ କରିଥିଲା।