ନୂଆପଡ଼ାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ସମୀକ୍ଷା ବୈଠକ: ୫ ବ୍ଲକରେ ୧୦୦ ମହା ଲକ୍ଷପତି ଦିଦି ସୃଷ୍ଟି ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ
ନୂଆପଡ଼ା, ୦୯/୦୬ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ (ଓଏଲଏମ)ର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସୋମବାର ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG), କ୍ଲଷ୍ଟର ଲେଭେଲ ଫେଡେରେସନ (CLF), ଲକ୍ଷପତି ଦିଦି ସୃଷ୍ଟି, ବ୍ୟାଙ୍କ ଲିଙ୍କେଜ୍, ବ୍ୟକ୍ତିଗତ ଉଦ୍ୟୋଗ ଋଣ, ମିଶନ ଶକ୍ତି ରିଟେଲ ମାର୍ଟ, ପ୍ରବାସୀ ଶ୍ରମିକ ପରିବାର ସହାୟତା ଏବଂ ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଜିଲ୍ଲାର ପାଞ୍ଚଟି ବ୍ଲକରୁ ଅତି କମରେ ୧୦୦ ଜଣ ‘ମହାଲକ୍ଷପତି ଦିଦି’ (Maha Lakhpati Didi) ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରି ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ବ୍ଲକର ଲକ୍ଷପତି ଦିଦିମାନଙ୍କ ସଫଳତାର ପ୍ରୋଫାଇଲ ପ୍ରସ୍ତୁତ କରି ସେମାନଙ୍କ ଅନୁଭୂତି ଓ ଉଦ୍ୟମକୁ ଅନ୍ୟ ମହିଳାଙ୍କ ମଧ୍ୟରେ ପହଞ୍ଚାଇବାକୁ ସେ କହିଥିଲେ। ଜିଲ୍ଲାପାଳ ଅଧିକାରୀମାନଙ୍କୁ ତୃଣମୂଳ ସ୍ତରକୁ ଯାଇ ହିତାଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସରକାରୀ ଯୋଜନାର ସୁଫଳ ଅଧିକରୁ ଅଧିକ ମହିଳାଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ସ୍ୱାବଲମ୍ବୀ ମହିଳାଙ୍କ ସଫଳତା କାହାଣୀକୁ ଗାଁ ଗାଁରେ ପ୍ରଚାର କରି ନୂତନ ଉଦ୍ୟୋଗୀ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ। ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଜିଲ୍ଲାର ୯,୨୬୯ଟି ସକ୍ରିୟ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୯୮ ପ୍ରତିଶତର ପ୍ରୋଫାଇଲ ଅପଡେଟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୪,୯୪୫ ଜଣ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କୁ ଚିହ୍ନଟ କରାଯାଇଛି, ଯାହା ଲକ୍ଷ୍ୟର ୧୦୪ ପ୍ରତିଶତ। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୩୬,୦୬୮ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ଜିଲ୍ଲାର ୫୧ଟି ମିଶନ ଶକ୍ତି ରିଟେଲ ମାର୍ଟ ମଧ୍ୟରୁ ୪୫ଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରବାସୀ ଶ୍ରମିକ ପରିବାରମାନଙ୍କ ସହାୟତା ପାଇଁ ମେ ମାସରେ ୨୧୧ଟି ପରିବାରକୁ ପ୍ରାୟ ୮୧.୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହାସହ ପ୍ରବାସୀ ପରିବାରମାନଙ୍କ ଘର ପରିଦର୍ଶନ ଓ ସାମାଜିକ ସୁରକ୍ଷା ସେବା ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଗ୍ରାମୀଣ ପରିବାରମାନଙ୍କ ଅଧିକାର ସୁରକ୍ଷା ଓ ସହାୟତା ପାଇଁ ଗଠିତ ଗ୍ରାମୀଣ ସୁବିଧା କେନ୍ଦ୍ର (GFC) ମାଧ୍ୟମରେ ପ୍ରାପ୍ତ ବିଭିନ୍ନ ମାମଲାର ସମାଧାନ ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ କାର୍ଯ୍ୟରତ ଗ୍ରାମୀଣ କମ୍ୟୁନିଟି ରିସୋର୍ସ ପର୍ସନ (GCRP)ମାନଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପାରା ଲିଗାଲ ଭଲ୍ୟୁଣ୍ଟିୟର ଭାବେ ଚୟନ କରାଯାଇଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଦ୍ୱାରିକାନାଥ ଶତପଥୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ୍ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ, ସମସ୍ତ ବ୍ଲକ ପ୍ରକଳ୍ପ ସଂଯୋଜକ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।