Hot Posts

6/recent/ticker-posts

ବିଜାପୁର ଗାଁରେ ଚତୁଧାମ୍ବର୍ତ୍ତୀଙ୍କ ବାହୁଡା ଯାତ୍ରା ଉତ୍ସବପୂର୍ଣ୍ଣ ଭାବେ ସମ୍ପନ୍ନ

ନବରଙ୍ଗପୁର (ଝରିଗାଁ ବ୍ଲକ) ୬ / ୭ ( ନକୁଳ ଭତ୍ରା ) :ବିଜାପୁର ଗ୍ରାମର ପବିତ୍ର ଚତୁଧାମ୍ବର୍ତ୍ତୀ ମନ୍ଦିରରେ ବାହୁଡା ଯାତ୍ରା ଏବେ ଉତ୍ସବ ଆନନ୍ଦ ମଧ୍ୟରେ ସମ୍ପନ୍ନ ହୋଇଛି। ନିର୍ଦ୍ଧାରିତ ନୀତିକ୍ରମ ଅନୁଯାୟୀ ମଙ୍ଗଳ ଆଳତୀ, ଅବକାଶ, ଦ୍ଵାରପାଳ ପୂଜା ଶେଷ ପରେ, ଶେଣାପଟ୍ଟାରେ ସୁସଜ୍ଜିତ ଚତୁମୂର୍ତ୍ତୀଙ୍କ ଆଜ୍ଞାମାଳ ପ୍ରଦର୍ଶନ ହେବା ପରେ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ପହଣ୍ଡି ନୀତିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚି ‘ଛେରାପହଁରା’ ପରିଚାଳିତ ହୋଇଥିଲା। ପରେ ପ୍ରାଚୀନ ପ୍ରଥା ଅନୁଯାୟୀ ରିତୀନୀତି ଓ ପୂଜା ବିଧି ସମ୍ପନ୍ନ କରାଯାଇଥିଲା। ଏହି ଉତ୍ସବକୁ ଦେଖିବାକୁ ଅନେକ ଦୂର ଦୂରନ୍ତରୁ ଭକ୍ତଜନ ଆସିଥିଲେ। ବୃଦ୍ଧ , ବନିତା, ବାଳକ ସମସ୍ତେ ମିଶି ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଗାଁ ଉତ୍ସବ ମହୋତ୍ସବ ଭାବରେ ପରିବର୍ତ୍ତିତ ହୋଇଥିଲା। ରାମଲିଙ୍ଗେଶ୍ଵର କଳା ଓ ଯୁବ ପରିଷଦ ଓ ଗାଁ ପରିଚାଳନା କମିଟିର ସଦସ୍ୟମାନେ ଉତ୍ସବର ନିର୍ବିଘ୍ନ ପରିଚାଳନା ପାଇଁ ଅନ୍ତର୍ଗତ ଶ୍ରମ ଓ ନିଷ୍ଠା ସହିତ ଦାୟିତ୍ୱ ନିର୍ବାହ କରିଥିଲେ। ଯାହା ସତ୍ୟ, ଏହି ପବିତ୍ର ଅବସର ମଧ୍ୟରେ ଗ୍ରାମ ଓ ନିକଟବର୍ତ୍ତୀ ଅଞ୍ଚଳର ଅନେକ ଲୋକ ଯାତାୟାତ ଅସୁବିଧା ରେ ପଡ଼ିଥିଲେ। ମୂଖ୍ୟ ରାସ୍ତାରେ ରଥ ଟଣା ଯାଉଥିବାରୁ ମିଣ୍ଡରା, ବୋରିଗାଁ, ଜମଗୁଡ଼ା ଏବଂ ଅନ୍ୟାନ୍ୟ ଗାଁର ନାଗରିକମାନେ ଉମରକୋଟ, ଝରିଗାଁ, ଧୋଡ୍ରା ପ୍ରଭୃତି ଅଞ୍ଚଳକୁ ଯିବାରେ ଅସୁବିଧା ଅନୁଭବ କରିଥିଲେ।  ଅନେକ ବର୍ଷ ଧରି ରଥ ଯାତ୍ରା ହେଉଥିଲେ ମଧ୍ୟ ପ୍ରଶାସନ ଅସ୍ଥାୟୀ ରାସ୍ତା ଗୋଟିଏ ନିର୍ମାଣ କରି ନାହାଁନ୍ତି । ଗ୍ରାମ କମିଟି ପକ୍ଷରୁ ଏକ ଦାବି ଉଠିଛି ଯେ, "ଆଗାମୀ ଦିନରେ ଏହି ଧରଣର ଅସୁବିଧା ନ ହେବା ପାଇଁ କୁମ୍ବାର ଗୁଡାଠାରୁ ଗୁଚାଗୁଡ଼ା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ରାସ୍ତା ତିଆରି କରାଯାଉ।" ଏହା ମାଧ୍ୟମରେ ଭକ୍ତମାନଙ୍କ ଯାତ୍ରା ସୁବିଧାଜନକ ହେବ ଓ ସ୍ଥାନୀୟ ଲୋକଙ୍କ ଦୈନିକ ଚଳାଚଳ ଅବାଧିତ ରହିବ।