ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର ଆହତ
ନବରଙ୍ଗପୁର, ୬ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ପାପୋଡ଼ାହାଣ୍ଡୀ ବ୍ଳକ ଧନୋସୁଲି ନିକଟରେ ଦୁଇ ବାଇକ୍ ମଧ୍ୟରେ ସମ୍ମୁଖ ଧକ୍କା ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ ନାକୋଟିଗୁଡ଼ା ଗ୍ରାମର ଚକ୍ର ଭତ୍ରାଙ୍କ ମୃତ୍ୟୁ ଘଟିଛି, ଯେବେକି ଅନ୍ୟ ଦୁଇ ଜଣ ଗୁରୁତ୍ର ଆହତ ହୋଇଛନ୍ତି। ମୃତକ ଚକ୍ର ଭତ୍ରାଙ୍କ ସହିତ ଆହତ ହେବା ଲୋକମାନେ ହେଲେ — ମୋହୁଳପଦର ଗ୍ରାମର ବିଜୟ ଭତ୍ରା ଓ ରାମ ଭତ୍ରା। ଏହି ଦୁଇ ଜଣଙ୍କୁ ଗୁରୁତ୍ୱ ଅବସ୍ଥାରେ ପ୍ରଥମେ ପାପୋଡ଼ାହାଣ୍ଡୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ଚକ୍ର ଭତ୍ରାଙ୍କୁ ମୃତ୍ ଘୋଷଣା କରିଥିଲେ। ପରେ ଅନ୍ୟ ଦୁଇ ଆହତଙ୍କୁ ଗମ୍ଭୀର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଙ୍ଗପୁରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ରାମ ଭତ୍ରା ବାଇକ୍ ନେଇ ପାପୋଡ଼ାହାଣ୍ଡୀ ରୁ ଫେରୁଥିବା ବେଳେ, ବିପରୀତ ଦିଗରୁ ଆସୁଥିବା ଅନ୍ୟଏକ ବାଇକ୍ ସହିତ ମୁହାଁମୁହିଁ ଧକ୍କା ଘଟିଥିଲା। ଏହି ଧକ୍କାର ଫଳରେ ଦୁଇ ବାଇକ ର ତିନି ଆରୋହୀ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରେ ଥିବା ଲୋକମାନେ ସତର୍କ ହୋଇ ସମୟରେ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ, କିନ୍ତୁ ଚକ୍ର ଭତ୍ରାଙ୍କୁ ବଞ୍ଚାଇ ପାରିଲେ ନାହିଁ। ଘଟଣା ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ବାଇକ୍ କୁ ଜବତ କରି, ଦୁର୍ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି, ତଦନ୍ତ ପରେ ଘଟଣାର ପୂର୍ଣ୍ଣ ପରିଦୃଶ୍ୟ ସ୍ପଷ୍ଟ ହେବ।ଏହି ଦୁଃଖଦ ଘଟଣା ନକୋଟିଗୁଡ଼ା ଗ୍ରାମରେ ଶୋକର ଛାୟା ବ୍ୟାପିଛି। ସ୍ଥାନୀୟ ଲୋକମାନେ ମୃତକଙ୍କ ପରିବାର ପାଇଁ ସମବେଦନା ବ୍ୟକ୍ତ କରିଛନ୍ତି ଓ ସଂଗଠିତ ଭାବେ ଅତି ଶୀଘ୍ର ରାସ୍ତା ନୀତି ଓ ଯାତାୟାତ ଶିଷ୍ଟାଚାର ପାଳନ କରାଯିବା ପାଇଁ ପ୍ରଶାସନ ପ୍ରତି ଆହ୍ୱାନ ଜଣାଇଛନ୍ତି।