Hot Posts

6/recent/ticker-posts

ଭାରପ୍ରାପ୍ତ ଅଧିକାରୀ ମାନଙ୍କୁ ନେଇ ଚାଲିଛି ଜୟପୂର ପୌର ପରିଷଦ କାର୍ଯ୍ୟାଳୟ। ନିୟମିତ କାର୍ଯନିର୍ବାହୀ ଅଧିକାରୀ ଏବଂ ସ୍ଵାସ୍ଥ୍ୟ ଅଧିକାରୀ ନିଯୁକ୍ତ କରିବାକୁ ଦାବି।

ଜୟପୁର,୨୭।୭ ( ଏ. ଭେଙ୍କଟ ରାଓ ) :ଜୟପୂର ପୌର ପରିଷଦରେ ନିୟମିତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଗତ ପ୍ରାୟ ଏକ ବର୍ଷ ଧରି ଏବଂ ବହୂ ବର୍ଷ ଧରି ପୌର ସ୍ଵାସ୍ଥ୍ୟ ଅଧିକାରୀ ନିଯୁକ୍ତି ହୋଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଭାରପ୍ରାପ୍ତ ଅଧିକାରୀ ମାନଙ୍କୁ ନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହ କରାଯାଉଛି। ନିୟମିତ ଅଧିକାରୀ ନଥିବାରୁ ଜୟପୂର ପୌର ପରିଷଦରେ ଅନେକ ସମସ୍ୟା ଦେଖାଦେଇଥିବା ଜଣାପଡିଛି। ଜୟପୁର ପୌର ପରିଷଦରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ସୁଧାର ହୋଇପାରୁ ନାହିଁ। ତେଣୁ ସହର ମଧ୍ୟରେ ମଇଳା ଆବର୍ଜନା ପଡି ରହିବା ଦ୍ଵାରା ଅନେକ ସ୍ଥାନରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ଦେଖାଯାଇଛି। ଏପରି ସ୍ଥିତିରେ ପୌର ପରିଷଦରେ ନିୟମିତ ଅଧିକାରୀ ମାନେ ଥିଲେ ନିଶ୍ଚିତ ଭାବେ ସମାଧାନର ବାଟ ବହାରିଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି। ଏପରିକି ସହରରେ ଥିବା ରାସ୍ତାଘାଟ ମରାମତି ହୋଇ ପାରୁ ନ ଥିବା ଦୃଷ୍ଟିକୁ ଆସିଛି।ରାଜ୍ୟ ସରକାର କାହିଁକି ନିୟମିତ ଅଧିକାରୀ ନିଯୁକ୍ତ କରୁ ନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ବିଗତ ଦିନରେ ନିୟମିତ ଅଧିକାରୀ ମାନେ ଏଠାରୁ ବଦଳି ହୋଇଗଲା ପରେ ଜୟପୁର ଉପଜିଲ୍ଲାପାଳଙ୍କୁ ଜୟପୁର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଏବଂ ଜିଲ୍ଲା ଚିକିତ୍ସାଳୟର ଜଣେ ଡାକ୍ତରଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଯାହା ଦ୍ଵାରା ପୌରର ଉନ୍ନୟନ ମୂଳକ କାର୍ଯ୍ୟ ଏକ ବର୍ଷ ପଛକୁ ଯାଇଥିବା ସାଧାରଣରେ ଚର୍ଚ୍ଚା ହେବା ସହ ଜୟପୁର ପୌର ପରିଷଦରେ ନିୟମିତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସ୍ଵାସ୍ଥ୍ୟ ଅଧିକାରୀ ନିଯୁକ୍ତ କରିବାକୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଇଛି।