ମୀନଗୁର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀର ମୃତ୍ୟୁ
କଳାହାଣ୍ଡି, ୨୮/୦୮ ( ରିତେଶ କୁମାର ମୁଣ୍ଡ ) : ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ ମୀନଗୁର ବଡ କୁଟୁ ଆର.ଡି ରାସ୍ତାର ମୀନଗୁର ନିକଟରେ ଘଟିଛି ଏକ ମର୍ମଦ ସଡକ ଦୁର୍ଘଟଣା । ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା କଲମପୁର ଥାନା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁସାରେ ମୀନଗୁର ଗ୍ରାମର ଇନଦାଦ ମହମ୍ମଦ ନାମକ ଜନୈକ ବାକ ଶକ୍ତି ହୀନ ଦିବ୍ୟାଙ୍ଗ ଯୁବକ ଏକ ବାଇକ ଯୋଗେ କୁକୁଡା ବୋଝେଇ କରି ଏକ ବାଇକ ଯୋଗେ ବଡ କୁଟୁ ର ଜନୈକ ଦୋକାନୀକୁ ନେଇ ଦେଉଥୁବା ବେଳେ ବିପରିତ ଦିଗରୁ ବାଲି ବୋଝେଇ କରି ତିବ୍ ଗତିରେ ଆସୁଥିବା ଏକ ନମ୍ବର ବିହୀନ ମହିନ୍ଦ୍ରା ଟ୍ରାକ୍ଟର ଇନ୍ଦାଦର ବାଇକକୁ ଧକ୍କା ଦେଇଥିଲା । ଏହାସହ ରାସ୍ତା ଉପରେ ବାଲି ବୋଝେଇ ହେଇଥିବା ଟ୍ରାକ୍ଟର ଟ୍ରଲି ଓଲଟି ପଡିଥିଲା l ଇନଦାଦ ରାସ୍ତାକଡରେ ଛିଟିକି ପଢି ଗୁରୁତର ହେଇଥିଲା । ଏନେଇ ସ୍ଥାନୀୟ ଲୋକେ ଇନଦାଦର ପରିବାର ଲୋକକୁ ସୂଚନା ଦେବା ପରେ ପରିବାର ଲୋକ ଦୁର୍ଘଟଣାସ୍ଥଳରେ ପହଂଚି ଗୁରୁତର ଇନଦାଦକୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେତେବେଳକୁ ଇନଦାଦର ମୃତ୍ୟୁ ଘଟି ସାରିଥିଲା । ଏନେଇ ଦାଇତ୍ବରେ ଥିବା ଡାକ୍ତର ଘୋଷଣା କରିବା ସହ କଲମପୁର ଥାନାକୁ ସୂଚନା ଦେଇଥିଲେ । ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଉଭୟ ଟ୍ରାକ୍ଟର ଏବଂ ବାଇକକୁ ଜବତ କରିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ଶବ ଜବତ କରିଛନ୍ତି ।