ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍ l
କଳାହାଣ୍ଡି, ୦୭/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ମାମଲା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ ଗ୍ରାମର ପାର୍ଥବ ସାହୁଙ୍କ ଘରୁ ନଗଦ ୨ ଲକ୍ଷ ପଚାଶ ହଜାର ଟଙ୍କା ସମେତ ୧୭ ଭରି ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ପାର୍ଥବ ସାହୁ ଓ ତାଙ୍କ ପରିବାର ଲୋକେ ଘରେ ଶୋଇଥିଲେ। ଏହାର ସୁଯୋଗ ନେଇ ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଭାଙ୍ଗି ନଗଦ ୨.୫୦ ଲକ୍ଷ (ଅଢ଼େଇ ଲକ୍ଷ) ଟଙ୍କା, ୧୭ ଭରି ସୁନା ଏବଂ ୩୦ ଭରି ରୁପା ଅଳଙ୍କାର ଲୁଟି ନେଇଛନ୍ତି। ପରିବାର ଲୋକେ ସକାଳୁ ଉଠିବା ପରେ ଆଲମିରା ଭଙ୍ଗା ଯାଇଥିବା ଏବଂ ସମସ୍ତ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ନଥିବା ବେଳେ, ଶୋଇଥିବା ଅବସ୍ଥାରେ ଏଭଳି ସାହସିକ ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ