Hot Posts

6/recent/ticker-posts

BPL କାର୍ଡ ଥାଇ ମଧ୍ୟ ଗରିବ କଲ୍ୟାଣ ଚାଉଳ ପାଇବାରୁ ବଞ୍ଚିତ କାହିଁକି?

କଳାହାଣ୍ଡି, ୦୯/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ସରକାର ଗରିବ ଓ ଅସହାୟ ପରିବାରଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଯୋଗାଇ ଦେଉଥିବା ଦାବି କରୁଛନ୍ତି। ହେଲେ ବାସ୍ତବ ଚିତ୍ର କେତେ ଭିନ୍ନ, ତାହାର ଏକ ଦୁଃଖଦ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସିନାଙ୍ଗ ଗାଁରେ। BPL କାର୍ଡ ଥିଲେ ମଧ୍ୟ ଦୀର୍ଘ ୧୧ ବର୍ଷ ହେବ ସରକାରୀ ଚାଉଳ ପାଇବାରୁ ବଞ୍ଚିତ ରହିଛନ୍ତି ଜଣେ ଗରିବ ଆଦିବାସୀ ପରିବାର। ନର୍ଲା ବ୍ଲକ ସିନାଙ୍ଗ ଗ୍ରାମର ଏହି ହେଉଛନ୍ତି ବୈଷ୍ଣବ ମାଝୀ। ପେଶାରେ ଜଣେ ଦିନମଜୁରିଆ। ଦିନକୁ ଦିନ ଖଟି ଯାହା ରୋଜଗାର କରନ୍ତି, ସେଥିରେ କଷ୍ଟେମଷ୍ଟେ ପରିବାର ଚଳେ। ସରକାରଙ୍କ ଦ୍ୱାରା ପ୍ରଦତ୍ତ BPL କାର୍ଡ ତାଙ୍କ ପାଖରେ ରହିଛି, କିନ୍ତୁ ଏହି କାର୍ଡ କେବଳ କାଗଜପତ୍ରରେ ସୀମିତ ହୋଇ ରହିଯାଇଛି। ପରିବାରର ଅଭିଯୋଗ ଅନୁସାରେ ୨୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଗରିବ କଲ୍ୟାଣ ଯୋଜନାର ଚାଉଳ ମିଳିନାହିଁ। ବାରମ୍ବାର ସମ୍ପୃକ୍ତ ବିଭାଗ ଓ ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ବୈଷ୍ଣବ। ଖାଦ୍ୟ ସୁରକ୍ଷା ଯୋଜନାର ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ ସେ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି। ଫଳରେ ଆର୍ଥିକ ଅନଟନ ମଧ୍ୟରେ ପରିବାର ଚଳାଇବା ତାଙ୍କ ପାଇଁ ଅଧିକ କଷ୍ଟକର ହୋଇପଡ଼ିଛି! ଗୋଟିଏ ପଟେ ସରକାର ‘କେହି ଭୋକିଲା ରହିବେ ନାହିଁ’ ବୋଲି ପ୍ରତିଶ୍ରୁତି ଦେଉଥିବା ବେଳେ, ଅନ୍ୟପଟେ ଏଭଳି ଅସହାୟ ପରିବାର ବର୍ଷ ବର୍ଷ ଧରି ଚାଉଳ ପାଇଁ ଅପେକ୍ଷା କରି ରହିଛନ୍ତି। ତେବେ ଏହି ପରିବାର କାହିଁକି ସରକାରୀ ସୁବିଧାରୁ ବଞ୍ଚିତ? ଏଥିପାଇଁ ଦାୟୀ କିଏ? ଏବଂ କେବେ ମିଳିବ ସେମାନଙ୍କୁ ନ୍ୟାୟ? ଏହା ଏବେ ସାଧାରଣ ଲୋକଙ୍କ ମନରେ ଉଠୁଥିବା ବଡ଼ ପ୍ରଶ୍ନ।




କଲାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ