ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ବୈଦିକ ରୀତିରେ ଶିବ–ପାର୍ବତୀଙ୍କ ବିବାହ ସମ୍ପନ୍ନ ଯୋଗଦେଲେ ବିଧାୟକ
ବରପାଲି, ୨୦/୦୬ ( ନରେନ୍ଦ୍ର ପ୍ରଧାନ ) : ବରଗଡ ଜିଲ୍ଲା ବରପାଲିର ପ୍ରସିଦ୍ଧ ତଥା ଐତିହାସିକ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରାରେ ଆଜି ଶୁଭ ଲଗ୍ନରେ ଦେବଦମ୍ପତି ବାବା କପିଳେଶ୍ୱର ଓ ମା’ ପାର୍ବତୀଙ୍କ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି। ହିମାଦ୍ରୀ ନଗର ମଣ୍ଡପରେ ଅନୁଷ୍ଠିତ ଏହି ପବିତ୍ର ବିବାହ ଉତ୍ସବରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା। ଶୀତଳ ଷଷ୍ଠୀ ଯାତ୍ରାର ଆଜିର ଦିନକୁ ‘ବୈଠକୀ ଯାତ୍ରା’ ଭାବେ ପାଳନ କରାଯାଏ। ଗତକାଲି ମଧ୍ୟରାତ୍ରରେ ବାବା କପିଳେଶ୍ୱରଙ୍କ ବରାତ ଭବ୍ୟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ସକାଳ ପ୍ରାୟ ୬ଟା ସମୟରେ ହିମାଦ୍ରୀ ନଗର ମଣ୍ଡପରେ ପହଞ୍ଚିଥିଲା। ବରଯାତ୍ରାରେ ଡମ୍ବରୁ ପାର୍ଟି, ମହାକାଳ ଦଳ, ମୂର୍ତ୍ତି ନୃତ୍ୟ, ଡିଜେ, ଦୁଳଦୁଳି, ବ୍ୟାଣ୍ଡ ପାର୍ଟି, ଘଣ୍ଟ ପାର୍ଟି ସମେତ ବିଭିନ୍ନ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ରଙ୍ଗବେରଙ୍ଗର ଆଲୋକ ସଜ୍ଜା ଓ ଭକ୍ତିମୟ ସଙ୍ଗୀତର ତାଳେ ତାଳେ ଶିବଙ୍କ ବରାତ ଆଗକୁ ବଢ଼ିଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଅସଂଖ୍ୟ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।ଭୋର ପ୍ରାୟ ୫ଟା ସମୟରେ କନ୍ୟାପକ୍ଷ ପକ୍ଷରୁ ପ୍ରଥମ ବାଟବରଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷର କନ୍ୟା ପିତାମାତା ଶିବ କୁମାର ଅଗ୍ରୱାଲ ଓ ଗାୟତ୍ରୀ ଦେବୀ ବାବା କପିଳେଶ୍ୱରଙ୍କୁ ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ। ହିମାଦ୍ରୀ ନଗରର ଶୈବ ଭକ୍ତମାନେ ବରଯାତ୍ରୀ ଦଳଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ପରେ ବୈଦିକ ମନ୍ତ୍ରୋଚ୍ଚାରଣ, ହୋମଯଜ୍ଞ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ହିମାଦ୍ରୀ ନଗର ମଣ୍ଡପରେ ଅନୁଷ୍ଠିତ ସଭାରେ ବିଜେପୁର ବିଧାୟକ ସନତ କୁମାର ଗଡତୀୟା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ବରପାଲି ତହସିଲଦାର ରୁକମଣ ମେହେରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଅତିଥିମାନେ ଶୀତଳ ଷଷ୍ଠୀ ଯାତ୍ରାର ଐତିହାସିକ ଗୁରୁତ୍ୱ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ମତବ୍ୟକ୍ତ କରିଥିଲେ।ନିଜ ଅଭିଭାଷଣରେ ବିଜେପୁର ବିଧାୟକ ସନତ କୁମାର ଗଡତୀୟା କହିଥିଲେ ଯେ ବରପାଲିର ଶୀତଳ ଷଷ୍ଠୀ ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଏଠାକାର ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ପ୍ରତୀକ। ଆଗାମୀ ବର୍ଷ ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଏହି ଉତ୍ସବକୁ ଅଧିକ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ଏହାପରେ ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ଗାୟିକା ଦୀପ୍ତୀରେଖା ପାଢ଼ୀ ଓ ତାଙ୍କ ଦଳ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭକ୍ତିମୂଳକ ଓ ଲୋକପ୍ରିୟ ସଙ୍ଗୀତରେ ଦର୍ଶକମାନେ ମନୋରଞ୍ଜନର ଭରପୂର ଆନନ୍ଦ ନେଇଥିଲେ। ଏହି ଅବସରରେ ବରପାଲି ନଗର ମଣ୍ଡଳ ସଭାପତି ପ୍ରତାପ କେଶରୀ ସିଂହ, ଏନଏସି ଚେୟାରମ୍ୟାନ ଦିନେଶ ଗହୀର, କମିଟିର ସୁବୋଧ ଷଡ଼ଙ୍ଗୀଙ୍କ ସମେତ ବହୁ ସଂଖ୍ୟକ କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଓ ଭକ୍ତମାନେ ଉପସ୍ଥିତ ଥିଲେ। ଯାତ୍ରାର ଶୃଙ୍ଖଳିତ ପରିଚାଳନା ପାଇଁ କମିଟି ସଦସ୍ୟ, ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ଶୀତଳ ଷଷ୍ଠୀ ଉତ୍ସବ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ଦିବ୍ୟ ମିଳନର ପ୍ରତୀକ। ଏହି ବିବାହ ଆମକୁ ତ୍ୟାଗ, ଧୈର୍ଯ୍ୟ, ଭକ୍ତି ଓ ସମର୍ପଣର ମହତ୍ତ୍ୱ ବୁଝାଇଥାଏ। ଶିବ–ପାର୍ବତୀଙ୍କ ପବିତ୍ର ସମ୍ପର୍କ ପରିବାରରେ ପ୍ରେମ, ସମ୍ମାନ ଓ ସମନ୍ୱୟର ବାର୍ତ୍ତା ଦେଇଥାଏ। ଏହି ମହାନ ପରମ୍ପରା ସମାଜରେ ଭାଇଚାରା, ଏକତା ଓ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରୁଥିବା ବେଳେ ଆମ ସଂସ୍କୃତିର ଗୌରବକୁ ଅକ୍ଷୁଣ୍ଣ ରଖିଛି। ୧୪୯ ବର୍ଷର ଏହି ଐତିହାସିକ ଯାତ୍ରା ଆଜି ମଧ୍ୟ ଧର୍ମ, ଭକ୍ତି ଓ ସାମାଜିକ ସମନ୍ୱୟର ଏକ ଅନନ୍ୟ ଉଦାହରଣ ଭାବେ ପରିଚିତ।