ବିଞ୍ଝାରପୁର, ୦୨/୦୬ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ବ୍ଲକର ପ୍ରଶାସନିକ ବ୍ୟବସ୍ଥାକୁ ନୂତନ ପ୍ରଗତି ଦେବା ଲକ୍ଷ୍ୟରେ ନୂତନ ବିଡିଓ ଭାବେ ଛବିରାଣୀ ସାହୁ ସୋମବାର ଦିନ ଆନୁଷ୍ଠାନିକ ଭାବରେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି। ଯୋଗଦାନ ପୂର୍ବରୁ ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜା ଏବଂ ଅରେଇସ୍ଥିତ ବାବା ବରୁଣେଶ୍ୱରଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ଭାରପ୍ରାପ୍ତ ବିଡିଓ ଆକାଶ ପଟ୍ଟନାୟକଙ୍କ ଠାରୁ ସେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନୂତନ ବିଡିଓଙ୍କ କାର୍ଯ୍ୟାଳୟ ପ୍ରବେଶ ପରେ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ କାର୍ଯ୍ୟାଳୟ ସଦସ୍ୟମାନେ ତାଙ୍କୁ ଉଷ୍ମ ସ୍ୱାଗତ ଜଣାଇ ଶୁଭେଚ୍ଛା ଅର୍ପଣ କରିଥିଲେ। ଏହାସହ ବିଞ୍ଝାରପୁର ସାମ୍ବାଦିକ ୟୁନିଅନର ସଭାପତି ଓ ସଦସ୍ୟ ମାନେ ମଧ୍ୟ ନୂତନ ବିଡିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ପୂର୍ବରୁ ଛବିରାଣୀ ସାହୁ ଗୋପ ବ୍ଲକର ବିଡିଓ ଭାବେ ଦାୟିତ୍ୱ ନିର୍ବାହ କରି ପ୍ରଶାସନିକ କ୍ଷେତ୍ରରେ ଅନୁଭବ ସଂଗ୍ରହ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିଞ୍ଝାରପୁର ବ୍ଲକର ବିଡିଓ ପଦବୀ ଦୀର୍ଘ ପ୍ରାୟ ସାତ ମାସ ଧରି ଖାଲି ରହିଥିବାରୁ ଅନେକ ପ୍ରଶାସନିକ ଏବଂ ବିକାଶମୂଳକ କାର୍ଯ୍ୟର ପରିଚାଳନାରେ କିଛି ବାଧା ସୃଷ୍ଟି ହେଉଥିଲା। ଏପରି ପରିସ୍ଥିତିରେ ନୂତନ ବିଡିଓଙ୍କ ଯୋଗଦାନ ବ୍ଲକର ବିକାଶ ଯାତ୍ରାକୁ ନୂତନ ପ୍ରଗତି ଦେବ ବୋଲି ସାଧାରଣ ଲୋକମାନଙ୍କ ମଧ୍ୟରେ ଆଶା ଓ ଆଗ୍ରହର ପରିବେଶ ସୃଷ୍ଟି ହୋଇଛି। ଦାୟିତ୍ୱ ଗ୍ରହଣ ପରେ ଛବିରାଣୀ ସାହୁ କହିଛନ୍ତି ଯେ, ବ୍ଲକରେ ଚାଲୁଥିବା ସମସ୍ତ ସରକାରୀ ଯୋଜନାର ସଠିକ୍ ଓ ସଫଳ ରୂପାୟନ, ସାଧାରଣ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ଏବଂ ସରକାରୀ ସେବାକୁ ଅଧିକ ଫଳପ୍ରଦ, ସ୍ୱଚ୍ଛ ଓ ଜନମୁଖୀ କରିବା ତାଙ୍କର ପ୍ରମୁଖ ପ୍ରାଥମିକତା ରହିବ। ଲୋକମୁଖୀ ପ୍ରଶାସନ ଓ ବିକାଶମୂଳକ କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ଦିଗରେ ସମନ୍ୱିତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।