Hot Posts

6/recent/ticker-posts

ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ: ରାୟଗଡ଼ର ଜିଲ୍ଲା ନୋଡାଲ ଅଧିକାରୀମାନେ ସାମିଲ

ରାୟଗଡ଼, ୨୬/୦୫ ( ଭି. ଗୌରି ଶଙ୍କର ରାଓ ) : ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟା-୨୦୨୬କୁ ରାୟଗଡ଼ ଜିଲ୍ଲାରେ ଅଧିକ ସୁଦୃଢ଼ ଓ ବ୍ୟାପକ କରିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସିଂ ବୈଠକରେ ରାୟଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ସୁଶ୍ରୀ ମାନୁଏଲା ପ୍ରିୟଦର୍ଶିନୀ, ଡେପୁଟି କଲେକ୍ଟର (ନିର୍ବାଚନ), ସୁଶ୍ରୀ ବିଚିତ୍ରା ସେଠୀ, ଆସିଷ୍ଟାଣ୍ଟ କଲେକ୍ଟର (ନିର୍ବାଚନ) ପମୁଖ ଯୋଗ ଦେଇଥିଲେ। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ଭୋଟରଙ୍କ ନିକଟରେ ପହଞ୍ଚିବା ଏବଂ ଭୋଟର ସଚେତନତା ବୃଦ୍ଧି ଦିଗରେ ଗଣମାଧ୍ୟମ ପରିଚାଳନା, ଫେସବୁକ-ଏକ୍ସ ଭଳି ସୋସିଆଲ ମିଡିଆ କୌଶଳ ଏବଂ ସାଧାରଣ ଯୋଗାଯୋଗର ସଫଳ ବ୍ୟବହାର ନେଇ ରାୟଗଡ଼ ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ବିଶେଷ ମାର୍ଗଦର୍ଶନ ଦେଇଛନ୍ତି। ଏହି ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି। ଆସନ୍ତା ୦୧.୦୭.୨୦୨୬ କୁ ନିର୍ବାଚନ ସଂଶୋଧନର ଯୋଗ୍ୟତା ଅର୍ଜନ ତାରିଖ (Qualifying Date for SIR) ଭାବେ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ରାୟଗଡ଼ ଜିଲ୍ଲାରେ ଗତ ମେ ୨୦ ତାରିଖରୁ ଆରମ୍ଭ ହୋଇଥିବା ପ୍ରାଥମିକ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ପ୍ରିଣ୍ଟିଂ କାର୍ଯ୍ୟ ଆସନ୍ତା ମେ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ମେ ୩୦ ରୁ ଜୁନ୍ ୨୮ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ଘରକୁ ଘର ବୁଲି ତଥ୍ୟ ଯାଞ୍ଚ କରିବେ। ଏହି ସମୟ ମଧ୍ୟରେ ଅର୍ଥାତ୍ ଜୁନ୍ ୨୮ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିଯୁକ୍ତକରଣ (Rationalization) କାର୍ଯ୍ୟ ମଧ୍ୟ ଶେଷ କରାଯିବ। ପରବର୍ତ୍ତୀ ସମୟରେ, ଜୁଲାଇ ୫ ତାରିଖରେ ରାୟଗଡ଼ ଜିଲ୍ଲାର ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ ପାଇବ। ଜୁଲାଇ ୫ ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ନାଗରିକମାନେ କୌଣସି ଅଭିଯୋଗ, ସଂଶୋଧନ କିମ୍ବା ନୂତନ ନାମ ପଞ୍ଜୀକରଣ ପାଇଁ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଏହି ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ଏବଂ ନୋଟିସ୍ ପର୍ଯ୍ୟାୟ ଜୁଲାଇ ୫ ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଶେଷରେ, ସମସ୍ତ ଆପତ୍ତିର ସମାଧାନ କରାଯାଇ ଆସନ୍ତା ସେପ୍ଟେମ୍ବର ୬, ୨୦୨୬ ରେ ରାୟଗଡ଼ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା (Final Electoral Roll) ସର୍ବସାଧାରଣଙ୍କ ପାଇଁ ପ୍ରକାଶ ପାଇବ ବୋଲି ନିର୍ଦ୍ଧାରଣ କରାଯାଇଛି।