ବାଲିଆପାଳରେ କାଳ ବୈଶାଖୀର ପ୍ରଭାବ, ବଜ୍ରପାତ ରେ ଜଣେ ଗୁରୁତର ଆହତ ।
ବାଲିଆପାଳ, ୦୬/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଗଲା କେତେ ଦିନ ହେବ କାଳ ବୈଶାଖୀର ପ୍ରଭାବ ରହିଛି। ଘଡଘଡି ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ପବନ ମଧ୍ୟ ଜୋରରେ ପ୍ରବାହିତ ହେଉଛି। ଗତକାଲି ଶ୍ରୀରାମପୁର ପଞ୍ଚାୟତ ଯାମଳା ଗ୍ରାମର ଅଜୟ କୁମାର ଦେ ବାଡ଼ିରେ କାମ କରୁଥିବା ବେଳେ ଅଚାନକ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁଁ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ଅଜୟଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇ ଥିଲେ। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କାଳ ବୈଶାଖୀ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହୁ ଥିବାରୁ ଗ୍ରାମାଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ବିଦ୍ୟୁତ କାଟ ନ କରିବାକୁ ଟାଟା ପାୱାର ସପ୍ଲାୟାରକୁ ଉପଭୋକ୍ତାମାନେ ଅନୁରୋଧ କରିଛନ୍ତି। କାଳ ବୈଶାଖୀ ଯୋଗୁଁ ରବି ପନିପରିବା ଚାଷ ଅଧିକ କ୍ଷତି ଗ୍ରସ୍ତ ହୋଇଛି। ସୁବର୍ଣ୍ଣ ରେଖା ନଦୀ ଅବବାହିକା ଓ ବଙ୍ଗୋପ ସାଗର ଉପକୂଳ ଉର୍ବର ମାଟିରେ ରବି ଋତୁରେ ପ୍ରଚୁର ପରିମାଣରେ ପନି ପରିବା ଚାଷ ହୁଏ। ରବି ଚିନା ବାଦାମ, ମୁଗ ବିରି, ହାଇ ଇଲଡିଂ ଧାନ ଚାଷ କ୍ଷତି ଗ୍ରସ୍ତ ହୋଇଛି। ପାଗ ଏପରି ଲାଗି ରହିଲେ ଅଧିକ କ୍ଷତି ହେବ ବୋଲି ଗଗନ କୁମାର ଧଳ, ଅମୂଲ୍ୟ କୁମାର ସେଠୀ, ଦୀନବନ୍ଧୁ ମାଝୀ, ଲଷ୍ମୀପ୍ରିୟା ଦଳାଇ, ମୁରାରୀ ମୋହନ ସାହୁ, ପୁରୁଷୋତ୍ତମ ବେହେରା, ମଦନ ମୋହନ ଗୋଛାୟତ, ସର୍ବେଶ୍ୱର ମାହାଳିକ ପ୍ରମୁଖ ଚାଷୀ ଆଶଙ୍କା ବ୍ୟକ୍ତ କରିଛନ୍ତି।