Hot Posts

6/recent/ticker-posts

ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ବୈଠକ

ଭବାନୀପାଟଣା, ୦୪ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଅଭିମୁଖୀକରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲାପାଳ ଶ୍ରୀ ଦରୱାନ ଜିଲ୍ଲା ରେ ଆଦି କର୍ମଯୋଗୀ ଅଭିଯାନ ର ସଫଳ ରୂପାୟନ କ୍ଷେତ୍ରରେ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ କର୍ତ୍ତ୍ୟବ୍ୟ ନିଷ୍ଠା ଓ ପୂର୍ଣ୍ଣ ସହଯୋଗ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହି ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ଦୟାମୟ ପାଢୀ ଏବଂ ପ୍ରକଳ୍ପ ପ୍ରଶାସକ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର ପ୍ରଦ୍ୟୁମ୍ନ କୁମାର ଦାଶ କର୍ମଯୋଗୀ ଅଭିଯାନର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ । ଆଦିବାସୀ ସଂପ୍ରଦାୟର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହିତ ଶିକ୍ଷା, ଜୀବିକା, ସ୍ଵାସ୍ଥ୍ୟସେବା, ଜଳ, ବିଦ୍ୟୁତ, ଗୃହ, ଡ଼ିଜିଟାଲ ସଂଯୋଗ ଭଳି ମୌଳିକ ସୁବିଧା ଯୋଗାଇବା ଏବଂ ଜନଜାତୀୟ ସଂସ୍କୃତିକୁ ସଂରକ୍ଷଣ କରିବା ତଥା ଗ୍ରାମାଞ୍ଚଳ ନେତୃତ୍ୱକୁ ସଶକ୍ତ କରିବା ଏହି ଅଭିଯାନର ଲକ୍ଷ ରହିଛି ।
ସେହିଭଳି ଏହି ଅଭିଯାନ ଲୋକ କେନ୍ଦ୍ରିକ ପ୍ରତିକ୍ରିୟାଶୀଳ ଶାସନ, ଜନଭାଗିଦାରିତା, ଅଭିଯୋଗ ସମାଧାନ, ସମସ୍ୟା ଚିହ୍ନଟ ଏବଂ ତାହାର ସମାଧାନ, ସହଯୋଗୀ କାର୍ଯ୍ୟାନ୍ଵୟନ ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରିଥାଏ । ଏହି ଅଭିଯାନ ଦ୍ୱାରା ଗ୍ରାମସ୍ତରରେ ଆବାସ, ରାସ୍ତା, ଶିକ୍ଷା, ସ୍ଵାସ୍ଥ୍ୟ, ଜୀବିକା ଆଦି ଗୁରୁତ୍ଵପୂର୍ଣ ସେବା ଗୁଡ଼ିକର ପରିପୂର୍ଣତା ଆସିବ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ତ୍ରିସ୍ତରୀୟ ଦଳ ଗଠନ କରାଯିବ । ଏଥିରେ ଆଦି କର୍ମୀ, ଆଦି ସହାୟକ ଏବଂ ଆଦି ସାଥିମାନେ ସାମିଲ ରହି ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ । କଳାହାଣ୍ଡି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୧୩ଟି ବ୍ଲକ ୧୩୩ ଗ୍ରାମ ପଞ୍ଚାୟତ, ୪୨୪ଟି ଗ୍ରାମରେ କାର୍ଯ୍ୟକାରି ହେବ । ଏହି ଗ୍ରାମ ଗୁଡ଼ିକର ବିକାଶ ଲକ୍ଷ ହାସଲ କରିବା, ଜିଲ୍ଲା ଗ୍ରାମ୍ୟ ଯୋଜନାକୁ କାର୍ଯ୍ୟ ପ୍ରସ୍ତୁତ ଏବଂ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନକୁ ସହଜ କରିବାରେ ସ୍ୱେଛାସେବୀ ସଂଙ୍ଗଠନ ମାନଙ୍କ ସହଯୋଗ ମଧ୍ୟ ରହିବ । ଏଥିରେ ଜିଲ୍ଲାର ସାମଗ୍ରିକ ବିକାଶକୁ ତ୍ଵାରାନ୍ଵିତ କରିବା ପାଇଁ ଆଶା ରଖାଯାଇଛି । ଏହି ବୈଠକରେ ସମସ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶେଷରେ ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ, ଶ୍ରୀ ଦାସ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ