ସରପଞ୍ଚ ପଦ ଫେରି ପାଇବାରୁ ଶୁଭେଚ୍ଛା ଜଣାଇଲେ ଗ୍ରାମବାସୀ
ରାଇଘର, ୦୧/୯ ( ଚନ୍ଦନ ଗଣ୍ଡ) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ପଞ୍ଚାୟତର ଅସିଦ୍ଧ ଘୋଷିତ ସରପଞ୍ଚ ଶ୍ରୀମତୀ ସୁନିତାବାଈ ଗଣ୍ଡ ପୁଣି ସରପଞ୍ଚ ପଦ ଫେରି ପାଇଲେ । ଉମରକୋଟ ଜେ ଏମ୍ ଏଫ୍ ସି ଙ୍କ ରାୟ ପ୍ରକାଶ ପରେ ଏହା ସ୍ପଷ୍ଟ ହୋଇଛି। ସୂଚନା ଥାଉକି , ୨୦୨୨ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୧୧୫୯ ଖଣ୍ତ ଭୋଟ ବ୍ୟବଧାନରେ ସୁନିତାବାଈ ବିଜୟୀ ହୋଇ ସରପଞ୍ଚ ହୋଇଥିଲେ। କିନ୍ତୁ ସୁନିତାବାଈ ଅପାଠୁଆ ଥିବା ଦର୍ଶାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ରଂଜିତା ମାଝୀ ରାଇଘର ଗ୍ରାମ୍ୟ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଅଦାଲତ ଙ୍କ ରାୟ ସୁନିତାବାଈ ବିପକ୍ଷ ଯାଇଥିଲା। ଫଳରେ କିଛି ମାସ ତଳେ ସରପଞ୍ଚ ପଦ ହରାଇବାକୁ ପଡ଼ିଥିଲା। ଏହାପରେ ସୁନିତାବାଇ ଗ୍ରାମ୍ୟ ଅଦାଲତଙ୍କ ରାୟ ବିରୋଧରେ ଉମରକୋଟ ଜେଏମ୍ଏଫ୍ ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ଏହି ମାମଲାର ବିଚାର କରି ଜଣେ ସରପଞ୍ଚ ଓଡ଼ିଆ ସହ ପଢ଼ିପାରୁଛନ୍ତି କି ନାହିଁ, ଜାଣିବା ପାଇଁ ଓଡିଶା ପଞ୍ଚାୟତ ଆଇନ ଏବଂ ଓଡିଶା ନିର୍ବାଚନ ଆଇନ ତର୍ଜମା କରିଥିଲେ। ସେଭଳି କୌଣସି ମାନଦଣ୍ଡ ନଥିବା ଜାଣିବା ପରେ ସୁନିତାଙ୍କ ସରପଞ୍ଚ ପଦ ଅସିଦ୍ଧ ଘୋଷଣା ହୋଇପାରିବ ନାହିଁ ବୋଲି ରାୟରେ କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ସରପଞ୍ଚ ଦାୟିତ୍ୱ ଦେବା ଲାଗି ସୁନିତା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ବୋଲି କୁନ୍ଦେଇ ଗ୍ରାମ ପଞ୍ଚାୟତ ବାସୀ ଜାଣିବା ପରେ ଖୁସି ରେ ଲହରୀ ଉଠିଲା। ଏହି ଖବର ପାଇଲା ପରେ ଗ୍ରାମବାସୀ ଏବଂ ଶିବ କୁମାର ଗଣ୍ଡ ପୁର୍ବତନ ସରପଞ୍ଚ( ଖୁଡୁକୁ) ବିଜେପି ଭିଜିଲାନସ୍ ମନ୍ଟରିଙ୍ଗ୍, ଗୋପାଳ କୃଷ୍ଣ ସାହୁ ବିଜେପି ହାଟଭରଣ୍ଡି ମଣ୍ଡଳୀ ସହ ସମ୍ପାଦକ, ଆଇଦାନ ଗଣ୍ଡ ଏସ୍ ଟି ମୋର୍ଚା ସଭାପତି, ପ୍ରକାଶ ଶର୍ମା ସଂଯୋଗ ଓ ବିଜେପି କର୍ମୀମାନେ ଶ୍ରୀମତୀ ସୁନିତାବାଈ ଗଣ୍ଡ ଦିଦି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ।