ନୂଆପଡ଼ା, ୦୩/୦୮ ( ପରମେଶ୍ୱର ମେହେର ) : ଲଗାଣ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଉପାନ୍ତ ଘାଟମାଳ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ବର୍ଷା ଋତୁ ଆସିଲେ ଉଦନ୍ତୀ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଚିତାରମା, ଝାଲାପଡ଼ା ଓ ନଙ୍ଗଲଘାଟ ଭଳି ଗ୍ରାମ ଜଳବନ୍ଦୀ ହୋଇପଡ଼ୁଛି। ଏପରିକି ପ୍ରତିବର୍ଷ ପ୍ରାୟ ତିନି ମାସ ଧରି ଏହି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିବା ଅଭିଯୋଗ ହୋଇଆସୁଛି। ଏଭଳି ସମୟରେ ଜଳବନ୍ଦୀ ଅଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚିଛି କଂଗ୍ରେସର ଏକ ପ୍ରତିନିଧି ଦଳ। ଖଡିଆଳ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ କମଲ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଭରା ଉଦନ୍ତୀ ନଦୀ ପାରି ହୋଇ ଚିତାରମା, ଝାଲାପଡ଼ା ଓ ନଙ୍ଗଲଘାଟ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମରେ ପହଞ୍ଚିବା ପରେ ପ୍ରତିନିଧି ଦଳ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭାବ-ଅସୁବିଧା ସମ୍ପର୍କରେ ଜାଣିଥିଲେ। ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଲୋକେ ଦୁର୍ଦ୍ଦଶାରେ ଜୀବନଯାପନ କରୁଥିବା ପ୍ରତିନିଧି ଦଳ ଜାଣିବାକୁ ପାଇଥିବା ଦାବି କରିଛି। ଏହି ଅବସରରେ ତିନିଟି ଗ୍ରାମର ପ୍ରାୟ ୧୦୫ ଗରିବ ପରିବାରଙ୍କୁ ପିଡିଏସ୍‌ ସାମଗ୍ରୀ ସମେତ ବିଭିନ୍ନ ଘରଚଳଣି ସାମଗ୍ରୀ ବଣ୍ଟନ କରାଯାଇଥିଲା। ଜଳବନ୍ଦୀ ସମୟରେ ଯାତାୟାତ ସମସ୍ୟା ସହ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ଲୋକେ ହଇରାଣ ହେଉଥିବାରୁ ଏହି ସହାୟତା ସେମାନଙ୍କ ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି। ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ରାସ୍ତା, ଯାତାୟାତ, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କିତ ସମସ୍ୟା ପ୍ରତିନିଧି ଦଳର ଦୃଷ୍ଟିଆକର୍ଷଣ କରିଥିଲେ। ବର୍ଷାଦିନେ ନଦୀ ଫୁଲିବା ପରେ ଗ୍ରାମଗୁଡ଼ିକ ଦୀର୍ଘ ସମୟ ଧରି ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଉଥିବାରୁ ଏହାର ସ୍ଥାୟୀ ସମାଧାନ ଦାବି ହୋଇଛି। ଏହି ସମସ୍ୟାଗୁଡ଼ିକୁ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଅଣାଯିବା ସହ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି କଂଗ୍ରେସ ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି। ଭରା ନଦୀ ପାରି ଦୁର୍ଗମ ଓ ଜଳବନ୍ଦୀ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଦୁଃଖ ଶୁଣିବା ଏବଂ ସହାୟତା ସାମଗ୍ରୀ ବଣ୍ଟନ କରିବା ଘଟଣାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଏହି ଗସ୍ତରେ କମଲ ଚରଣ ତାଣ୍ଡିଙ୍କ ସମେତ ଖଡିଆଳ ନଗର କଂଗ୍ରେସ ସଭାପତି ପ୍ରବୀଣ ପଟ୍ଟନାୟକ, ଖଡିଆଳ ବ୍ଲକ କଂଗ୍ରେସ ସଭାପତି ବୁଦ୍ଧ ବେହେରା, ଜିଲ୍ଲା ସମ୍ପାଦକ ଭଜନ ଜଗତ, ରାଜେଶ ବେହେରା, ହେମନ୍ତ ପୁଞ୍ଜି, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶାହରୁଖ ଖାନ, ଗଗନ ତାଣ୍ଡି, ପ୍ରମୋଦ ନିଆଲ, ଧର୍ମେନ୍ଦ୍ର ସାହୁ, ଲକ୍ଷ୍ମୀଧର ନିଆଲ ପ୍ରମୁଖ ସାମିଲ ଥିଲେ।