Hot Posts

6/recent/ticker-posts

କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ଉର୍ବଶୀ ଦିଗାଲ

ଖଜୁରୀପଡ଼ା, ୯/୫ (ଅଚ୍ୟୁତ ଜାନୀ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡ଼ିଶା ପ୍ରଦେଶ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲାର ନୂତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଖଜୁରୀପଡ଼ା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲଙ୍କୁ ଚୟନ କରାଯାଇଛି।ଶ୍ରୀମତୀ ଦିଗାଲଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରେ ମହିଳା ମୋର୍ଚ୍ଚା ସଂଗଠନ ଆହୁରି ସୁଦୃଢ ଓ ସକ୍ରିୟ ହେବ ବୋଲି ଦଳୀୟ ମହଳରେ ଆଶା ପ୍ରକାଶ ପାଇଛି। ଏହି ଚୟନ ପରେ ଶ୍ରୀମତୀ ଦିଗାଲ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଉମା ଚରଣ ମଲ୍ଲିକ, ଜିଲ୍ଲା ସଭାପତି ଶ୍ରୀ ପଣ୍ଡିତ କୁମାର ବିଶିମାଝି, ରାଜ୍ୟ ସମ୍ପାଦକ ଶ୍ରୀ ଭଗବାନ ମହାନ୍ତି, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ତଥା ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ କଳ୍ପନା କହଁର ଏବଂ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପ ସଭାପତି ଶ୍ରୀ ରାମବିଶି ଦିଗାଲଙ୍କ ସହ ଜିଲ୍ଲାର ସମସ୍ତ ନେତୃତ୍ୱ ଓ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି।ଏହି ନିଯୁକ୍ତି ଖବର ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲାର ଦଳୀୟ ମହଳ ସହ ବିଭିନ୍ନ ମହଳରୁ ଶ୍ରୀମତୀ ଦିଗାଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।ନବ ନିଯୁକ୍ତ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଦିଗାଲ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳରେ ଥାଇ ଖଜୁରୀପଡ଼ା ୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଭାବେ ତିନି ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେହି ସମୟରୁ ସେ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଜିଲ୍ଲାର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି।ନିଜ ବ୍ଲକ ସହ ଅନ୍ୟାନ୍ୟ ବ୍ଲକରେ ସାମାଜିକ କାର୍ଯ୍ୟକ୍ରମ ଓ ଆପଦ ବିପଦ ସମୟରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପୂର୍ବରୁ ସେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଓ ରାଜ୍ୟ ପରିଷଦ ସଦସ୍ୟା ଭଳି ଦାୟିତ୍ୱ ମଧ୍ୟ ସଫଳତାର ସହ ପାଳନ କରିଛନ୍ତି।ଶ୍ରୀମତୀ ଦିଗାଲ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ତୃଣମୂଳ ସ୍ତରର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛି, ତାହାକୁ ପାଥେୟ କରି ସେ ଦଳର ସଂଗଠନ ସୁଦୃଢ କରିବା ସହ ମହିଳାଙ୍କ ସ୍ୱାର୍ଥ ଓ ଜନସାଧାରଣଙ୍କ ସମସ୍ୟା ପାଇଁ ସଦା ସ୍ୱର ଉତ୍ତୋଳନ କରିବେ। ଏହାସହ ସେ ଜିଲ୍ଲା ଓ ରାଜ୍ୟର ସମସ୍ତ ନେତୃତ୍ୱଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।