ତେଲ ପଡିଥିବା ରାସ୍ତାରେ ବଡ଼ ଦୁର୍ଘଟଣା ଟଳିଲା – ସ୍ୱାସ୍ଥ୍ୟ ପ୍ରତିନିଧି ରାଈକିଶୋର ପ୍ରଧାନ ଓ ଯୁବସମାଜର ସତର୍କ ପଦକ୍ଷେପ
ଖଜୁରୀପଡ଼ା, ୨୯/୦୩ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଗାଡିଆପଡା ଏସ୍ ଗୋଲେଇ ରାସ୍ତାରେ ତେଲ ପଡି ରହିଥିବାରୁ ଏକ ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାବେଳେ ସମୟୋପଯୋଗୀ ପଦକ୍ଷେପ ନେଇ ଜନସାଧାରଣଙ୍କୁ ରକ୍ଷା କରାଯାଇଛି।ସୂଚନା ଅନୁସାରେ, ଶୁକ୍ରବାର ରାତିରେ କୌଣସି ଅଜଣା ଗାଡ଼ିରୁ ତେଲ ପଡିଥିବାରୁ ଶନିବାର ସକାଳେ ରାସ୍ତାଟି ବହୁତ ପିଛଳା ହୋଇଯାଇଥିଲା। ଏହା ଫଳରେ ଯାତାୟାତ କରୁଥିବା ଲୋକମାନେ ସ୍ଲିପ୍ ହୋଇ ଦୁର୍ଘଟଣାରେ ପଡ଼ୁଥିଲେ।ଏହି ସମ୍ବାଦ ପାଇ ଖଜୁରୀପଡ଼ା ସ୍ୱାସ୍ଥ୍ୟ ପ୍ରତିନିଧି ରାଈକିଶୋର ପ୍ରଧାନଙ୍କ ନେତୃତ୍ୱରେ ଅଶୋକ କୁମାର ସାହୁ, ପିତବାସ ପ୍ରଧାନ, ସିତାଂଶୁ ପ୍ରଧାନ, ପ୍ରଭାତ କୁମାର ସାହୁ, ସୁକାନ୍ତ ସାହୁ, ଦିଲିପ ସାହୁ ଓ ପପୁ ସାହୁ ଘଟଣାସ୍ଥଳରେ ପହଞ୍ଚି ତତକ୍ଷାଣାତ୍ ସଫା କାମ ଆରମ୍ଭ କରିଥିଲେ।ସଫା କାର୍ଯ୍ୟରେ ପ୍ରଫୁଲ୍ଲ ସ୍ୱାଇଁଙ୍କ ପକ୍ଷରୁ ଏକ ଟ୍ରାକ୍ଟର ବାଲି ଯୋଗାଇ ଦିଆଯାଇଥିବାବେଳେ ପ୍ରଭଞ୍ଜନ ସାହୁ (ପପୁ) ପକ୍ଷରୁ ୨୦ କେଜି ସର୍ଫ ବ୍ୟବସ୍ଥା କରାଯାଇଥିଲା। ଏହାସହ ସୁକାନ୍ତ କୁମାର ସାହୁ ଓ ଦିଲିପ ସାହୁ ଦ୍ୱାରା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। ପ୍ରାୟ ୪ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରେ ରାସ୍ତାଟି ସଫା କରାଯାଇଥିଲା ଓ ପରିସ୍ଥିତିକୁ ସାଧାରଣ କରାଯାଇଥିଲା। ଏହି ସତର୍କ ଓ ସମନ୍ୱିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଥିବା ସହ ଅନେକ ଲୋକଙ୍କ ଜୀବନ ରକ୍ଷା ପାଇଛି। ଯୁବସମାଜ ଓ ସ୍ୱେଚ୍ଛାସେବୀମାନଙ୍କ ଏହି ସେବାମୂଳକ କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀମାନେ ଭୁରିଭୁରି ପ୍ରଶଂସା କରୁଛନ୍ତି।